ଖାମେନେଇଙ୍କ ମୃତ୍ୟୁ: ଭାରତ ଅଶାନ୍ତ

ଜୋରଦାର ବିକ୍ଷୋଭ ପ୍ରଦର୍ଶନ; ରାସ୍ତାକୁ ଓହ୍ଲାଇଲେ ସମର୍ଥକ

ନୂଆଦିଲ୍ଲୀ, ୦୧/୦୩: ଇସ୍ରାଏଲ-ଆମେରିକା ମିଳିତ ଆକ୍ରମଣରେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ଇରାନର ସରକାରୀ ଗଣମାଧ୍ୟମ ଦ୍ୱାରା ନିଶ୍ଚିତ ହେବା ପରେ ଭାରତର ବିଭିନ୍ନ ସ୍ଥାନରେ ତାଙ୍କ ସମର୍ଥକ ମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜମ୍ମୁ ଏବଂ କାଶ୍ମୀର ଓ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଛି।

ଶ୍ରୀନଗର, ସୋନାୱାରି ଏବଂ ବନ୍ଦିପୋରାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ସିଆ ସମ୍ପ୍ରଦାୟର ପୁରୁଷ ଏବଂ ମହିଳାମାନେ ଇରାନର ସର୍ବୋଚ୍ଚ ନେତାଙ୍କ ଫଟୋ ଧରି ପ୍ରତିବାଦ କରୁଥିବାର ନଜର ଆସିଛି।

“ସିଆମାନେ ସହିଦ ହେବାକୁ ଭୟ କରନ୍ତି ନାହିଁ। ଆମେ ରେହବାର ଖାମେନେଇଙ୍କ ସହିତ ଅଛୁ ଏବଂ ସେମାନଙ୍କ ସହିତ ଏକତାର ସହ ରାସ୍ତାରେ ଅଛୁ,” ବାରାମୂଳାରେ ଜଣେ ମହିଳା ପ୍ରତିବାଦକାରୀ କହିଛନ୍ତି। ଜମ୍ମୁ ଏବଂ କାଶ୍ମୀର ସିଆ ଆସୋସିଏସନ୍ ମଧ୍ୟ ଖାମେନିଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ଏକ ବିବୃତ୍ତି ଜାରି କରିଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଦୁଃଖ ପ୍ରକାଶ କରି କହିଛନ୍ତି ଯେ ତାଙ୍କର ପ୍ରାର୍ଥନା “ଇରାନ ଏବଂ ଏହାର ଲୋକଙ୍କ ସହିତ ଅଛି କାରଣ ସେମାନେ ଇସ୍ରାଏଲ ଦ୍ୱାରା ପୁଣି ଏକ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି।”

କାଶ୍ମୀରର ମୁଖ୍ୟ ମୌଲବୀ ମୀରୱାଇଜ୍ ଉମର ଫାରୁକ୍ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ଏବଂ ଏହାକୁ ପୂର୍ବରୁ ଅସ୍ଥିର ଅଞ୍ଚଳରେ ଏକ ବିପଦଜନକ ବୃଦ୍ଧି ବୋଲି କହିଛନ୍ତି।