ଘୂର୍ଣ୍ଣିବାତ୍ୟା ‘ସିତରଙ୍ଗ’କୁ ନେଇ ପଶ୍ଚିମବଙ୍ଗ ସରକାର ସତର୍କ

କୋଲକାତା ୨୧।୧୦:ବଙ୍ଗୋପସାଗରରେ ସମ୍ଭାବିତ ଘୂର୍ଣ୍ଣିବାତ୍ୟା ‘ସିତରଙ୍ଗ’ ଯୋଗୁ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଆଗାମୀ ସପ୍ତାହ ପ୍ରାରମ୍ଭରେ ବର୍ଷା ସାଙ୍ଗକୁ ବତାସ ବହିବାର ଆଶଙ୍କା କରାଯାଉଛି। ଘୂର୍ଣ୍ଣିବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଗତିକରିବ ବୋଲି ଅନୁମାନ କରାଯାଉଛି। ଏଥିଲାଗି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶୁକ୍ରବାର ସୂଚିତ କରିଛନ୍ତି। ଏଣୁ ସମ୍ଭାବିତ ଘୂର୍ଣ୍ଣିବାତ୍ୟା ଲାଗି ପଶ୍ଚିମବଙ୍ଗ ସରକାର ସତର୍କତା ଜାରି କରିଛନ୍ତି।

ଏଥିରେ ପଶ୍ଚିମବଙ୍ଗରେ ବିପର୍ଯ୍ୟୟ, ବିଦ୍ୟୁତ ଓ ରିଲିଫ କାମ ସହ ସମ୍ପୃକ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଛି। ଏହା ଛଡା ବାତ୍ୟାରେ ପ୍ରଭାବିତ ହେବାର ଆଶଙ୍କା କରାଯାଉଥିବା ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ କାଢିବା ଲାଗି ଏବେ ପଦକ୍ଷେପ ନିଆଯାଇଥିବା ଜନୈକ ଅଧିକାରୀ କହିଛନ୍ତି। ଆଇଏମଡିଙ୍କ ଅନୁସାରେ ଘୂର୍ଣ୍ଣିବାତ୍ୟା ସୋମବାର ତୀବ୍ରରୂପ ନେବ, ତେବେ ତା ପୂର୍ବରୁ ଶନିବାର ଲଘୁଚାପ କ୍ଷେତ୍ର ଓ ରବିବାର ଗଭୀର ଚାପକ୍ଷେତ୍ରରେ ପରିଣତ ହେବ।