ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଇସ୍ତଫା
ରାଷ୍ଟ୍ରପତିଙ୍କୁ ଇସ୍ତଫା ପତ୍ର ପଠାଇଲେ ଲଦାଖର ଲେଫ୍ଟନାଣ୍ଟ ଗଭର୍ଣ୍ଣର
କୋଲକାତା/ଲେହ, ୦୫/୦୩: ପଶ୍ଚିମବଙ୍ଗ ରାଜ୍ୟପାଳ ଡକ୍ଟର ସି.ଭି. ଆନନ୍ଦ ବୋଷ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି। ଆନନ୍ଦ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ରାଜ୍ୟ ବିଧାନସଭା ନିର୍ବାଚନର ମାତ୍ର କିଛି ଦିନ ପୂର୍ବରୁ ଆନନ୍ଦ ବୋଷ ଇସ୍ତଫା ଦେଇଛନ୍ତି।
ରାଜ୍ୟପାଳ ଡକ୍ଟର ସି.ଭି. ଆନନ୍ଦ ବୋଷଙ୍କ ଇସ୍ତଫା ଖବର ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିକ୍ରିୟା ଦେଇଛନ୍ତି। ସେ ସୋସିଆଲ ମିଡିଆରେ ଏହି ନିଷ୍ପତ୍ତିକୁ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି।
ସେ କହିଛନ୍ତି, “ମୁଁ ତାଙ୍କ ଇସ୍ତଫାର କାରଣ ଜାଣିନାହିଁ, କିନ୍ତୁ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହା ଆଶ୍ଚର୍ଯ୍ୟଜନକ।”
ମମତା ଏକ୍ସରେ ଲେଖିଛନ୍ତି, “ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କ ଇସ୍ତଫାର ହଠାତ୍ ଖବର ଶୁଣି ମୁଁ ଆଶ୍ଚର୍ଯ୍ୟ ଏବଂ ଗଭୀର ଭାବରେ ବିଚଳିତ। ତାଙ୍କ ଇସ୍ତଫା ପଛର କାରଣ ବିଷୟରେ ମୁଁ ଏପର୍ଯ୍ୟନ୍ତ ଅବଗତ ନୁହେଁ। ତଥାପି, ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଯଦି କେନ୍ଦ୍ର ଗୃହମନ୍ତ୍ରୀ କିଛି ରାଜନୈତିକ ଲାଭ ପାଇଁ ରାଜ୍ୟପାଳଙ୍କ ଉପରେ ଚାପ ପକାନ୍ତି ତେବେ ମୁଁ ଆଶ୍ଚର୍ଯ୍ୟ ହେବି ନାହିଁ।”
ମମତା ଆହୁରି ଲେଖିଛନ୍ତି, “କେନ୍ଦ୍ର ଗୃହମନ୍ତ୍ରୀ ମୋତେ ସୂଚନା ଦେଇଛନ୍ତି ଯେ ଆର.ଏନ. ରବିଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଉଛି।”
ଉଲ୍ଲେଖନୀୟ ଯେ କେରଳର କୋଟ୍ଟାୟମର ମୂଳ ବାସିନ୍ଦା ସିଭି ଆନନ୍ଦ ବୋଷ ଗତ ସାଢ଼େ ତିନି ବର୍ଷ ଧରି ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ସେ ୧୯୭୭ ବ୍ୟାଚର ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ। ତାଙ୍କୁ ୨୩ ନଭେମ୍ବର ୨୦୨୨ରେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା।
ଅନ୍ୟପଟେ ଲଦାଖର ଲେଫ୍ଟନାଣ୍ଟ ଗଭର୍ଣ୍ଣର କବିନ୍ଦର ଗୁପ୍ତା ମଧ୍ୟ ଗୁରୁବାର ତାଙ୍କ ଇସ୍ତଫାପତ୍ର ଦାଖଲ କରିଛନ୍ତି। କବିନ୍ଦର ଗୁପ୍ତାଙ୍କୁ ଜୁଲାଇ ୨୦୨୫ରେ ଲଦାଖର ତୃତୀୟ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବରେ ନିଯୁକ୍ତ କରାଯାଇଥିଲା ଏବଂ ପ୍ରାୟ ଗୋଟିଏ ବର୍ଷ ପାଇଁ ସେ ଏହି ପଦବୀରେ ରହିଥିଲେ।