ନୂଆଦିଲ୍ଲୀ, ୧୦/୦୩: ଟିମ୍ ଇଣ୍ଡିଆ ପାଇଁ ବିସିସିଆଇ ଧନବର୍ଷା। ଆଇସିସି ଟି-୨୦ ବିଶ୍ୱକପ୍ ବିଜେତା ଟିମ୍ ଇଣ୍ଡିଆ ଉପରେ କରିଛି ଟଙ୍କା ବର୍ଷା। ଆଜି ବିସିସିଆଇ ପକ୍ଷରୁ ଇଣ୍ଡିଆନ କ୍ରିକେଟର୍ସଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି।
ମାର୍ଚ୍ଚ ୮ ତାରିଖରେ, ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ୨୦୨୬ ଟି-୨୦ ବିଶ୍ୱକପ୍ ଜିତିଥିଲା। ଯାହା ପରେ ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ନଗଦ ପୁରସ୍କାର ଘୋଷଣା କରିଛନ୍ତି BCCI ସଚିବ ଦେବଜିତ ସାଇକିଆ। ଏହି ପୁରସ୍କାର ରାଶିକୁ ଖେଳାଳୀ, ସପୋର୍ଟ ଷ୍ଟାଫ ଓ ଚୟନକର୍ତ୍ତାଙ୍କ ମଧ୍ୟରେ ବଣ୍ଟାଯିବ।
ଦେବଜିତ ସାଇକିଆ ଏକ୍ସରେ ଏହି ଘୋଷଣା କରି କହିଛନ୍ତି ଯେ “ଭାରତୀୟ କ୍ରିକେଟ୍ ଦଳ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ୨୦୨୬ ଟି୨୦ ବିଶ୍ୱକପ୍ ଜିତିଥିଲା। ଏହି ବିଜୟ ଲାଭ ସହିତ, ଭାରତ କେବଳ ସଫଳତାର ସହ ନିଜର ଟାଇଟଲ ରକ୍ଷା କରିନାହିଁ ବରଂ ଇତିହାସରେ ପ୍ରଥମ ଦଳ ଭାବରେ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ବଜାୟ ରଖିଛି। ଏହି ବିଜୟ ସହିତ, ଭାରତ ତିନି ଥର ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ ଜିତିଥିବା ପ୍ରଥମ ଦଳ ହୋଇ ଏହି ଫର୍ମାଟର ଇତିହାସରେ ସବୁଠାରୁ ସଫଳ ଦଳ ମଧ୍ୟରୁ ଗୋଟିଏ ଭାବରେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ବୋର୍ଡ ପୁଣିଥରେ ଏହି ଐତିହାସିକ ସଫଳତା ପାଇଁ ଖେଳାଳି, ସହାୟକ କର୍ମଚାରୀ ଏବଂ ଚୟନକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଭବିଷ୍ୟତରେ ସେମାନଙ୍କର ସଫଳତା ପାଇଁ କାମନା କରୁଛି।”
ଉଲ୍ଲେଖଯୋଗ୍ୟ, ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ସମ୍ପୂର୍ଣ୍ଣ ଟି-୨୦ ବିଶ୍ୱକପ୍ ୨୦୨୬ ରେ କେବଳ ଗୋଟିଏ ମ୍ୟାଚ୍ ହାରିଥିଲା, ବାକି ମ୍ୟାଚ୍ ଗୁଡ଼ିକରେ ବିଜୟୀ ହୋଇଥିଲା। ଫାଇନାଲରେ, ଭାରତୀୟ ଦଳ ୨୫୬ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନରେ ପରାସ୍ତ କରିଥିଲା।