ଭୟଙ୍କର ଅଗ୍ନିକାଣ୍ଡ, ୭୦୦ରୁ ଅଧିକ ଦୋକାନ ଘର ଭସ୍ମ

ଇଟାନଗର : ଭୟଙ୍କର ଅଗ୍ନିକାଣ୍ତରେ ଜଳିଗଲା ୭୦୦ରୁ ଉର୍ଦ୍ଧ୍ବ ଦୋକାନ ଘର। ମଙ୍ଗଳବାର ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରର ଏକ ଦୈନିକ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ଏହି ଦୋକାନଗୁଡ଼ିକରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। କୁହାଯାଉଛି କୋଟି କୋଟି ଟଙ୍କାର କ୍ଷତି ହୋଇଛି।

ସୂଚନା ଅନୁଯାୟୀ, ରାଜ୍ୟର ସବୁଠୁ ପୁରଣା ନାହରଲଗୁନ ଦୈନିକ ବଜାରରେ ଏହି ଅଗ୍ନିକାଣ୍ଡ ଘଟିଛି। ସକାଳ ପ୍ରାୟ ୪ ଟା ବେଳେ ନିଆଁ ଲାଗିଥଲା। ଫଳରେ ଏହି ବଜାରରେ ଥବା ପ୍ରାୟ ୭୦୦ରୁ ଅଧିକ ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏହି ବଜାର ରାଜଧାନୀ ଇଟାନଗର ଠାରୁ ୧୪ କିମି ଦୂର।

ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଏଥିରେ କେହି ମୃତାହତ ହେବାର ସୂଚନା ମିଳିନାହିଁ। କୁହାଯାଉଛି ଘଟଣାର ସୂଚନା ମିଳିବା ପରେ ଦମକଳବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକାଂଶ ଦୋକାନ ବାଉଁଶ ଏବଂ କାଠରେ ତିଆରି ହୋଇଥିବା କାରଣୁ ନିଆଁ ତୀବ୍ର ଭାବରେ ବ୍ୟାପିଥିଲା। ପୋଲିସ କର୍ମଚାରୀ କହିଛନ୍ତି ନିଆଁ ଲିଭାଇବା ପାଇଁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଥିଲା।