ପୁଣି ମହଙ୍ଗା ହେଲା ଅଟା

ନୂଆଦିଲ୍ଲୀ: ଦୀପାବଳି ଓ ଛଟ ପୂଜା ମଧ୍ୟରେ ଅଟା ଦର ପୁଣି ବଢିଛି।  ୧୫ ପ୍ରତିଶତ ମହଙ୍ଗା ହୋଇଛି ଅଟା। କେବଳ ଅଟା ନୁହେଁ ଗହମରୁ ପ୍ରସ୍ତୁତ ହେଉଥିବା ମଇଦା, ସୁଜି ଓ ଦଲିଆ ମଧ୍ୟ ମହଙ୍ଗା ହୋଇଛି। ଅଟା କେଜି ପିଛା ୫ ଟଙ୍କା ମହଙ୍ଗା ହୋଇଥିବା ବେଳେ ମଇଦା, ସୁଜି ଓ ଦଲିଆ ଦରରେ କେଜି ପିଛା ୩ରୁ ୫ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ତେବେ ଏଥର ଅଟା ମୂଲ୍ୟ ବୃଦ୍ଧିର କୌଣସି ସ୍ପଷ୍ଟ କାରଣ ନାହିଁ। ହେଲେ ବଜାର ବିଶେଷଜ୍ଞଙ୍କ ଅନୁସାରେ ଖୋଲା ବଜାରରେ ଗହମର ଅଭାବ ଏପରି ପରିସ୍ଥିତି ସୃଷ୍ଟି କରିଛି।

ସରକାର ଖୋଲା ବଜାରକୁ ଗହମ ଯୋଗାଣ ବନ୍ଦ କରିଦେଇଛନ୍ତି। ଏଣୁ ବ୍ୟବସାୟୀଙ୍କୁ ମହଙ୍ଗା ଦରରେ ଗହମ କ୍ରୟ କରିବାକୁ ପଡୁଥିବାରୁ ଏପରି ମୂଲ୍ୟ ବୃଦ୍ଧି ହୋଇଛି। ଚଳିତବର୍ଷ ହୋଲି ପରଠାରୁ ବଜାରରେ ଅଟା ମହଙ୍ଗା ହେଲାଣି। କଥା ହେଉଛି ଦେଶରେ ଗହମ ଅମଳ ପୂର୍ବରୁ ହିଁ ଋଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଏଣୁ କେବଳ ଭାରତ ନୁହେଁ ସାରା ବିଶ୍ୱ ବଜାରରେ ଗହମ ଦର ବଢିବାରେ ଲାଗିଥିଲା। ଏଣୁ ଏହାର ପ୍ରଭାବ ମଧ୍ୟ ଭାରତୀୟ ବଜାରରେ ପଡିଥିଲା।