ସାମ୍ବାଦିକ ଭୂମିକାରେ ସତ୍ୟର ରହସ୍ୟ ଖୋଲିବେ ଭୂମି

ମୁମ୍ବାଇ ୨୬।୧୦: ୨୦୧୫ ମସିହାରେ ‘ଦମ୍‌ ଲଗା କେ  ହୈଶା’ ଫିଲ୍ମ ମାଧ୍ୟମରେ  ବଲିଉଡ୍‌ରେ ଡେବ୍ୟୁ  କରିଥିଲେ ଅଭିନେତ୍ରୀ  ଭୂମି ପେଡ୍‌ନେକର ।  ସେହି ଫିଲ୍ମରେ  ନିଜର ଯାଦୁକରୀ ଅଭିନୟ  ଲାଗି ଭୂମି ଉଚ୍ଚ ପ୍ରଶଂସିତ ହୋଇଥିଲେ । ବକ୍ସ  ଅଫିସ୍‌ରେ ବି ଫିଲ୍ମଟି ଭଲ ପ୍ରଦର୍ଶନ କରିଥିଲା। ତା’ ପରଠାରୁ ସେ  ଆଉ ପଛକୁ ଚାହିଁନାହାନ୍ତି । ‘ଟୟଲେଟ୍‌: ଏକ ପ୍ରେମ କଥା’, ‘ଶୁଭ ମଙ୍ଗଳ ସାବଧାନ’,  ‘ଷାଣ୍ଢ କି ଆଖଁ’, ‘ବଧାଇ ଦୋ’ ପରି ଫିଲ୍ମ କରି ଭୂମିଙ୍କର ପ୍ରାୟତଃ ସାମାଜିକ ବାର୍ତ୍ତା  ଦେଇ ଆସିଛନ୍ତି ।

ଆଗକୁ ଭୂମିଙ୍କୁ ‘ଭକ୍ଷକ’ରେ ଦେଖିବାକୁ ମିଳିବ । ସତ୍ୟ ଘଟଣା  ଉପରେ ପର୍ଯ୍ୟବସିତ ସେହି ଫିଲ୍ମରେ ଭୂମି ସାମ୍ବାଦିକାଙ୍କ ଭୂମିକାରେ ନଜର ଆସିବେ। ସେଥିରେ ଜଣେ ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧକୁ ଲୋକଲୋଚନକୁ ଆଣିବା ସହ ସମସ୍ତ ପ୍ରତିବନ୍ଧକ ସତ୍ତେ୍ୱ ତାଙ୍କୁ କିଭଳି  ନ୍ୟାୟ ମିଳିବ ସେଥିଲାଗି ନିରନ୍ତର ଉଦ୍ୟମ କରୁଥିବା ଦେଖିବାକୁ ମିଳିବ ।  ଫିଲ୍ମରେ ଭେଟେରାନ୍‌ ଅଭିନେତା ସଞ୍ଜୟ ମିଶ୍ରା, ସାଇ ତମହାନ୍‌କର  ଓ ଆଦିତ୍ୟ ଶ୍ରୀବାସ୍ତବ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।  ପୁଲକିତ ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ ଶାହରୁଖ୍‌ଙ୍କର ରେଡ୍‌  ଚିଲିଜ୍‌ ଏଣ୍ଟରଟେନ୍‌ମେଣ୍ଟ ପ୍ରଯୋଜନାରେ ଅଛି।