ନୂଆଦିଲ୍ଲୀ, ୩୦/୦୩: ବିଜୁ ବାବୁଙ୍କ ଉପରେ ମନ୍ତବ୍ୟ ନେଇ ସ୍ପଷ୍ଟ କଲେ ସାଂସଦ ନିଶିକାନ୍ତ ଦୁବେ। ବିବାଦୀୟ ମନ୍ତବ୍ୟକୁ ନେଇ ବର୍ତ୍ତମାନ ରାଜନୀତି ଜୋର ଧରିଥିବା ବେଳେ ନବୀନ ମଧ୍ୟ ନିଶିକାନ୍ତ ଦୁବେଙ୍କୁ ଟାର୍ଗେଟ କରିଥିଲେ। ନିଶିକାନ୍ତଙ୍କ ବୟାନକୁ ନେଇ ସେ ଆଶ୍ଚର୍ଯ୍ୟଜନକ ବୋଲି କହିଥିଲେ।
ତେବେ ଏହା ପରେ ପ୍ରତିକ୍ରିୟା ରଖିଛନ୍ତି ଦୁବେ। ଦୁହେଁ କହିଛନ୍ତି, ମୁଁ ମୋର କୌଣସି ଟ୍ବିଟ୍ରେ ବିଜୁ ବାବୁଙ୍କୁ ଟାର୍ଗେଟ୍ କରି ନ ଥିଲି। ଯଦି ମୋ ଟ୍ବିଟ୍ କାହାକୁ ଆଘାତ ଦେଇଥାଏ, ତାହେଲେ ମୁଁ ତାଙ୍କୁ ବୁଝାଇବି। ବିଜୁ ବାବୁ ଜଣେ ମହାନ ସ୍ବାଧୀନତା ସଂଗ୍ରାମୀ, ବିଜେପି ପୂରା ସମ୍ମାନ କରେ। ଯେତେବେଳେ କଂଗ୍ରେସ ବିଜୁ ବାବୁଙ୍କ ପ୍ରତି ଅନ୍ୟାୟ କରିଥିଲା ସେତେବେଳେ ଜନସଂଘ ଓ ବିଜେପି ତାଙ୍କ ପାଇଁ ଛିଡ଼ା ହୋଇଥିଲା।
ସୂଚନାଯୋଗ୍ୟ, ଗତ କାଲି ଦୁହେଁ କହିଥିଲେ ଯେ, ଆମେରିକା ଟଙ୍କାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହରୁ ଯୁଦ୍ଧ ଲଢ଼ିଥିଲେ। ଆଉ ତତ୍କାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଏଥିରେ ଭୂମିକା ନିଭାଇଥିଲେ। ଆମେରିକା ସରକାର ଓ ସିଆଇଏ ମଧ୍ୟରେ ସେତୁ ଭାବେ କାମ କରିଥିଲେ। ନେହରୁ USA ରାଷ୍ଟ୍ରଦୁତଙ୍କୁ କହିଥିଲେ ତୁମେ ତୁମ କାମ କର, ମୁଁ ବିଜୁଙ୍କୁ ପଠାଇଛି। ଓଡ଼ିଶାର ଚାରବାଟିଆ ଏୟାର ବେସ୍ରେ ଆମେରିକା ବିମାନକୁ ଆଶ୍ରୟ ଦେଇଥିଲେ ବୋଲି କହିଥିଲେ ନିଶିକାନ୍ତ।
ନିଶିକାନ୍ତଙ୍କ ଏହି ମନ୍ତବ୍ୟ ପରେ ରାଜ୍ୟ ରାଜନୀତି ବେଶ୍ ସରଗରମ ରହିଥିଲା। ବିଜେଡ଼ି ସିଧା ନିଶାନା କରିଥିଲା ଦୁବେଙ୍କୁ। ଏପରିକି ସଂସଦୀୟ ଷ୍ଟାଡିଂ କମିଟି (ଆଇଟି ଓ ଯୋଗାଯୋଗ)ରୁ ଇସ୍ତଫା ଦେଇଥିଲେ ସାଂସଦ ସସ୍ମିତ ପାତ୍ର।