ଡେଡଲାଇନ ପୂର୍ବରୁ ଖାର୍ଗ ଦ୍ୱୀପ ଉପରେ ଆକ୍ରମଣ

କ୍ଷେପଣାସ୍ତ୍ର ମାଡ଼ରେ ଉଡ଼ିଲା ରେଲୱେ ବ୍ରିଜ୍; ୧୮ ମୃତ

ତେହେରାନ, ୦୭/୦୪: ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକାର ଆକ୍ରମଣ। କାସନରେ ଏକ ବଡ଼ ରେଲୱେ ବ୍ରିଜ୍‌କୁ ଉଡ଼ାଇ ଦେଲା ଇସ୍ରାଏଲ୍‌। ତେହେରାନର ଉତ୍ତର-ପଶ୍ଚିମରେ ଥିବା ଇରାନର ଆଲବୋର୍ଜ ପ୍ରଦେଶକୁ ଟାର୍ଗେଟ କରି ହୋଇଥିବା ଏକ ବିମାନ ଆକ୍ରମଣରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି।

ଯୁଦ୍ଧ ବନ୍ଦ ନେଇ ଡେଡ୍‌ଲାଇନ ସରିବା ପୂର୍ବରୁ ଆକ୍ରମଣ କରିଛନ୍ତି ଆମେରିକା ଓ ଇସ୍ରାଏଲ। ହର୍ମୁଜ ପ୍ରଣାଳୀ ମୁକ୍ତ କରିବାକୁ ଡେଡ୍‌ଲାଇନ ଦିଆଯାଇଥିଲା। ସମସ୍ତ ପାୱାର ପ୍ଲାଣ୍ଟ ଧ୍ବଂସ କରିବାକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ୍‌। ଇରାନରେ ସମସ୍ତ ଯୋଗାଯୋଗ ବ୍ୟବସ୍ଥା ଧ୍ବଂସ ପାଇଁ ବି ଚେତାବନୀ ଦେଇଛନ୍ତି। ଏ ସମୟରେ ପାୱାର ପ୍ଲାଣ୍ଟ ନିକଟରେ ମାନବ ଶୃଙ୍ଖଳ ପାଇଁ ଇରାନ କର୍ତ୍ତୃପକ୍ଷ ଆହ୍ବାନ ଦେଇଛନ୍ତି। ଆଜି ରାତି ୮ଟା ସୁଦ୍ଧା ଆମେରିକା ସହିତ ଡିଲ୍ ନ କଲେ ଭୟଙ୍କର ଆକ୍ରମଣର ସାମନା କରିବାକୁ ଇରାନକୁ ଟ୍ରମ୍ପ ଧମକ ଦେଇଥିଲେ।

ସପ୍ତାହେ ଧରି ସମଗ୍ର ଇରାନରେ ଇଣ୍ଟରନେଟ୍ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହି ବନ୍ଦ ଯୋଗୁଁ ସାଧାରଣ ଲୋକଙ୍କ ପାଇଁ ଏପରି ଚେତାବନୀ ପାଇବା କଷ୍ଟକର ହୋଇପଡ଼ିଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆପୋଷ ସମାଧାନ ପାଇଁ ଅଲ୍ଟିମେଟମ୍ ଯେତିକି ନିକଟତର ହେଉଛି, ଇରାନ ବିରୁଦ୍ଧରେ ଆକ୍ରମଣର ଆଶଙ୍କା ସେତିକି ବୃଦ୍ଧି ପାଇଛି। ଇରାନରେ ବିଦ୍ୟୁତ୍ ପ୍ଲାଣ୍ଟ, ସେତୁ ଏବଂ ରେଳପଥ ମଧ୍ୟ ଟାର୍ଗେଟ କରାଯାଇପାରେ।

ଗତ ମାସର ପ୍ରାରମ୍ଭରେ, ଆମେରିକା ଇରାନର ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରି ଖାର୍ଗ ଦ୍ୱୀପ ଉପରେ ଆକ୍ରମଣ କରିଥିଲା। ଏହି ଦ୍ୱୀପଟି ଏହାର ବିଚ୍ଛିନ୍ନତା ଯୋଗୁଁ ନିଷିଦ୍ଧ ଦ୍ୱୀପ ଭାବରେ ମଧ୍ୟ ଜଣାଶୁଣା। ଟ୍ରମ୍ପ ପୂର୍ବରୁ ଖାର୍ଗ ଦ୍ୱୀପ ଉପରେ ଆକ୍ରମଣ କରିବାକୁ ଧମକ ଦେଇଥିଲେ। ସେ କହିଥିଲେ ଯେ ଯଦି ହର୍ମୁଜରେ ଜାହାଜ ଉପରେ ଆକ୍ରମଣ ବନ୍ଦ ନହୁଏ, ତେବେ ଖାର୍ଗର ତୈଳ ଭିତ୍ତିଭୂମିକୁ ଟାର୍ଗେଟ କରାଯିବ।

ଖାର୍ଗ ଦ୍ୱୀପ ହେଉଛି ଇରାନର ମୁଖ୍ୟ ତୈଳ ରପ୍ତାନି ଟର୍ମିନାଲ, ଯାହା ଇରାନର ତୈଳ ରପ୍ତାନିର ୯୦ ପ୍ରତିଶତ ସେହିଠାରୁ ହୁଏ। ଏହାର ସଂରକ୍ଷଣ କ୍ଷମତା ପ୍ରାୟ ୩୦ ନିୟୁତ ବ୍ୟାରେଲ।