ଟ୍ୱିଟର ସିଇଓ ଭାବେ ଦାୟିତ୍ୱ ତୁଲାଇବେ ଏଲନ୍ ମସ୍କ

ନୂଆଦିଲ୍ଲୀ: ୪୪ ବିଲିୟନ ଆମେରିକୀୟ ଡଲାରରେ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଟ୍ୱିଟରକୁ ଅଧିଗ୍ରହଣ କରିଛନ୍ତି । ଅଧିଗ୍ରହଣ କରିବାର ମାତ୍ର କିଛି ସମୟ ମଧ୍ୟରେ ଏଲନ୍ ମସ୍କ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲଙ୍କୁ ତାଙ୍କ ପଦ ସହ କମ୍ପାନିରୁ ବାହାର କରିଥିଲେ । ଅନ୍ୟପଟେ ବ୍ଲୁମବର୍ଗର ରିପୋର୍ଟ ଅନୁସାରେ ଏଲନ୍ ମସ୍କ ଏବେ ନିଜେ ଟିଟ୍ୱର ସିଇଓ ହୋଇପାରନ୍ତି । ରିପୋର୍ଟ ଅନୁସାରେ ଆସନ୍ତା କିଛି ସମୟ ପାଇଁ ମସ୍କ ଟ୍ୱିଟର ସିଇଓ ଭାବେ କାର୍ଯ୍ୟ କରିପାରନ୍ତି । ଏହାପରେ ସେ ଏହି ପଦରେ ଅନ୍ୟ କାହାକୁ ନିଯୁକ୍ତି ଦେଇପାରନ୍ତି ।

ଚୁକ୍ତି ପୂରଣ ପାଇଁ ଥିବା ଡେଡ୍ ଲାଇନର ଗୋଟିଏ ଦିନ ପୂର୍ବରୁ ମସ୍କ ଟ୍ୱିଟର ଅଧିଗ୍ରହଣ କରିଛନ୍ତି । ତେବେ ଖୁବଶୀଘ୍ର ଟ୍ୱିଟର କର୍ମଚାରୀଙ୍କୁ ଏଲନ୍ ମସ୍କ ସମ୍ୱୋଧିତ କରିପାରନ୍ତି । ସମ୍ଭବତଃ ଶୁକ୍ରବାର ଏହା ଉପରେ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇପାରେ ।

ଉଲ୍ଲେଖଯୋଗ୍ୟ ଯେ, କମ୍ପାନି ଅଧିଗ୍ରହଣର କିଛି ସମୟ ଭିତରେ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ, ବିଜୟ ଗଡ୍ଡେ, ଚିଫ୍ ଫାଇନାନ୍ସିଆଲ ଅଫିସର ନିଡ୍ ସେଗାଲଙ୍କ ଭଳି ବଡ଼ ବଡ଼ ଅଧିକାରୀଙ୍କୁ କମ୍ପାନିରୁ ବାହାର କରିଥିଲେ। ଏହାସହ ଟ୍ୱିଟର ଆକାଉଣ୍ଟ ଉପରେ ବ୍ୟାନ୍ ନିୟମକୁ ମଧ୍ୟ ବଦଳାଯାଇ ପାରେ। ପୂର୍ବରୁ ଆଜୀବନ ବ୍ୟାନ୍‌କୁ ବିଶ୍ୱାସ କରୁ ନଥିବା ମସ୍କ ବୟାନ ଦେଇସାରିଛନ୍ତି । ଏବେ ଅନୁମାନ କରାଯାଉଛି ପୂର୍ବରୁ ବ୍ୟାନ ହୋଇଥିବା ଅନେକ ଟ୍ୱିଟର ଆକାଉଣ୍ଟ ପୁଣି ଥରେ ସକ୍ରିୟ ହୋଇପାରେ । ତେବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ପୁଣି ସକ୍ରିୟ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।