ଓଡ଼ିଆ ପକ୍ଷ: ଶିଶୁକଥା ଦିବସରେ ୧୮,୦୦୦ ବର୍ଣ୍ଣବୋଧ ଓ ଶିଶୁଲେଖା ପୁସ୍ତକ ବଣ୍ଟନ
ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ “ବର୍ଣ୍ଣବୋଧ” ଏବଂ “ଶିଶୁଲେଖା” ପୁସ୍ତକ ପ୍ରଦାନ
ଭୁବନେଶ୍ୱର, ୦୭/୦୪: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ଓଡ଼ିଆ ପକ୍ଷ। ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସକୁ “ଶିଶୁକଥା ଦିବସ” ଭାବେ ପାଳନ କରାଯାଇଛି।
ଆଜି ଶିଶୁ କଥା ଦିବସ ପାଳନ ହେବା ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହିଥିବା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ “ବର୍ଣ୍ଣବୋଧ” ଏବଂ “ଶିଶୁଲେଖା” ପୁସ୍ତକ ପ୍ରଦାନ କରାଯାଇଥିଲା। ଏଥିସହ ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ବରିଷ୍ଠ ନାଗରିକମାନଙ୍କୁ “ଭାଗବତ” ପୁସ୍ତକ ପ୍ରଦାନ କରାଯାଇଥିଲା।
ଆଜି ଶିଶୁକଥା ଦିବସରେ ରାଜ୍ୟର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ୧୮,୦୦୦ “ବର୍ଣ୍ଣବୋଧ” ଏବଂ “ଶିଶୁଲେଖା” ପୁସ୍ତକ ବଣ୍ଟନ କରାଯାଇଛି। ଏଥିସହ ୨,୦୦୦ ଭାଗବତ ପୁସ୍ତକ ବଣ୍ଟାଯାଇଛି।
ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟର ପିଏମ୍ ଶ୍ରୀ ସଦାଶିବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଥିବା “ଶିଶୁକଥା ଦିବସ” ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଶିଶୁକଥା ଦିବସ ପାଳନ ହେବା ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବର୍ଣ୍ଣବୋଧ ଏବଂ ଶିଶୁଲେଖା ପୁସ୍ତକ ବଣ୍ଟନ ହେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ମତପ୍ରକାଶ କରିଥିଲେ।
ରାଜ୍ୟରେ ରହିଥିବା ବିଭିନ୍ନ ବେସରକାରୀ ବିଦ୍ୟାଳୟ, ବେସରକାରୀ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନରେ ମଧ୍ୟ ଆଜି “ଶିଶୁକଥା ଦିବସ” ପାଳନ କରାଯାଇଛି। ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ଏବଂ ପ୍ରସାର ସହ ଓଡ଼ିଆ ସଂସ୍କୃତି, ପରମ୍ପରା ଏବଂ ବିଭିନ୍ନ ଲୋକବାଣୀ ସମ୍ବନ୍ଧରେ ଯେପରି ଛାତ୍ରଛାତ୍ରୀମାନେ ଅବଗତ ହୋଇପାରିବେ, ତାହାକୁ ଲକ୍ଷ୍ୟ ରଖି ରାଜ୍ୟବ୍ୟାପୀ ଆଜି “ଶିଶୁକଥା ଦିବସ” ପାଳନ କରାଯାଇଛି।
ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ଓଡ଼ିଆ ପକ୍ଷ ପାଳନର ଅଷ୍ଟମ ଦିନ ଅର୍ଥାତ ଏପ୍ରିଲ ୮ ତାରିଖ ଦିନ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ “ରକ୍ତଦାନ ଅଭିଯାନ”ର ଆୟୋଜନ କରାଯିବ।