ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ବିଜେପି ସରକାରଙ୍କର ଦୋମୁହାଁ ନୀତି: ବିଜେଡି

ପୂର୍ବରୁ ବିଜେପି ବିରୋଧ କରୁଥିଲା, ଏବେ ବିଜେପି ସରକାର ସ୍ୱାଗତ କରୁଛନ୍ତି। ୩୯, ୫୦୫ ଜଣଙ୍କୁ ନିଯୁକ୍ତି ଦେଇଥିବା ବିଜେପି ଦାବି କରୁଛି, କିନ୍ତୁ ଏଥିରୁ ୩୩, ୮୬୭ ନିଯୁକ୍ତି ପ୍ରକି୍ରୟା ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା।

ନିଯୁକ୍ତି ଓ ସୁଶାସନ ପ୍ରଦାନ କ୍ଷେତ୍ରରେ ରାଜ୍ୟ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ

ଭୁବନେଶ୍ୱର, ୦୭/୦୪: ଅବସରପ୍ରାପ୍ତ ଅଧିକାରୀମାନଙ୍କୁ ପୁନଃନିଯୁକ୍ତି ଦେବାକୁ ବିଜେପି ବିରୋଧ କରି ଆସୁଥିଲା ବେଳେ ରାଜ୍ୟରେ କ୍ଷମତାକୁ ଆସିବା ପରେ ଅଧିକରୁ ଅଧିକ ଅବସରପ୍ରାପ୍ତ ଅଧିକାରୀ ମାନଙ୍କୁ ପୁନଃନିଯୁକ୍ତି ଦେବା ପାଇଁ ବାଟ ଖୋଲୁଛନ୍ତି, ଯାହା ତାଙ୍କର ଦୋମୁହାଁ ନୀତିକୁ ପ୍ରଦର୍ଷିତ କରୁଛି ବୋଲି ବିଜୁ ଜନତା ଦଳ କହିଛି । ଗତ ନିର୍ବାଚନରେ ନିଜର ସଙ୍କଳ୍ପ ପତ୍ରରେ, ପାଞ୍ଚ ବର୍ଷରେ ରାଜ୍ୟର ଖାଲି ପଡ଼ିଥିବା ସାଢ଼େ ତିନି ଲକ୍ଷ ପଦବିଙ୍କୁ ରାଜ୍ୟର ଯୁବକମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ବିଜେପି ଦେଇଥିବା ପ୍ରତିଶ୍ରୁତି ପ୍ରହସନରେ ପରିଣତ ହୋଲିଛି ବୋଲି ବିଜେଡି କହିଛି ।

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ, ବିଜେପି କ୍ଷମତାକୁ ଆସିବା ପରେ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସେପ୍ଟେମ୍ୱର ୧୨, ୨୦୨୪ ତାରିଖରେ ଅବସରପ୍ରାପ୍ତ ଅଧିକାରୀ ମାନଙ୍କୁ ପୁନଃନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଚଳିତ ଏପ୍ରିଲ ୨ ତାରିଖରେ, ଏକ ବିଜ୍ଞପ୍ତିରେ, ଅବସରପ୍ରାପ୍ତ ଅଧିକାରୀ ମାନଙ୍କୁ ପୁନଃନିଯୁକ୍ତି ପାଇଁ ପୂର୍ବ ବିଜ୍ଞପ୍ତିରେ ଥିବା ନିୟମକୁ ଅଧିକ କୋହଳ କରାଯାଇଛି । ପୂର୍ବରୁ ଅବସରପ୍ରାପ୍ତ କର୍ମଚାରୀଙ୍କୁ କଣ୍ଟ୍ରାଚୁଆଲ ନିଯୁକ୍ତି ଦେବାକୁ ବିରୋଧ କରି ଆସୁଥିଲା । କିନ୍ତୁ, କ୍ଷମତାକୁ ଆସିବା ପରେ, ଏବେ ଅଧିକରୁ ଅଧିକ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବା ପାଇଁ ପଦକ୍ଷେପ ନେଉଛନ୍ତି । ଏହା ରାଜ୍ୟ ବିଜେପି ସରକାରଙ୍କର ଦୋମୁହାଁ ନୀତି । ଡବଲ ଇଞ୍ଜିନ ସରକାରଙ୍କର ଡବଲ ନୀତି । ଗୋଟିଏ ନିଷ୍ପତ୍ତି ନିଆଯାଉଛି ତା ପରେ ତାକୁ ପରିବର୍ତ୍ତନ କରି ଦିଆଯାଉଛି । ୨୦୨୪ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଏଏସ ମାନଙ୍କୁ ନିଯୁକ୍ତି ପାଇଁ ବ୍ୟବସ୍ଥା କରାଗଲା । ପୂର୍ବ ବିଜ୍ଞପ୍ତିରେ ଶେଷ ପାଞ୍ଚ ବର୍ଷର ସିସିଆର ଆଉଟଷ୍ଟାଣ୍ଡିଂ ଥିବା ଜରୁରୀ ରଖା ଯାଇଥିଲା ଓ ଅବସର ପରେ ସରକାରୀ କ୍ୱାର୍ଟର ଛାଡିଥିବା ଜରୁରୀ ଥିଲା, ଯାହାକୁ ନୂତନ ବିଜ୍ଞପ୍ତିରେ ହଟାଇ ଦିଆଯାଇଛି । ଓଏଏସ ଅଧିକାରୀ ମାନଙ୍କୁ ନିଯୁକ୍ତି ବ୍ୟତୀତ, ୮୦୦ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଏସଆଇ ଓ ଏଏସଆଇ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ୧୮୬ ଜଣ ସିଭିଲ ଇଞ୍ଜିନିୟରଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି ।

ଡ଼ ମହାନ୍ତି କହିଥିଲେ, ବିଜେପି ତାର ସଙ୍କଳ୍ପ ପତ୍ରରେ, ରାଜ୍ୟର ଯୁବକ ମାନଙ୍କୁ ନିଯୁକ୍ତି ଓ ସୁଶାସନ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ, ଏହି ଦୁଇ କ୍ଷେତ୍ରରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ନିକଟରେ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ସମୁଦାୟ ୩୯, ୫୦୫ ଜଣଙ୍କୁ ନିଯୁକ୍ତି ଦିଆଯାଇଛି, ଯାହା ମଧ୍ୟରୁ ପ୍ରାୟ ୩୩, ୮୬୭ ନିଯୁକ୍ତିର ପ୍ରକ୍ରିୟା ପୂର୍ବ ସରକାରଙ୍କ ସମୟରେ ହୋଇଥିଲା । ତେଣୁ, ଗତ ଦୁଇ ବର୍ଷର ବିଜେପି ଶାସନରେ ମାତ୍ର ୫, ୬୩୮ ନିଯୁକ୍ତି ଦିଆଯାଇଛି । ଏହି ହାରରେ ନିଯୁକ୍ତି ଦେଲେ ରାଜ୍ୟ ସରକାରଙ୍କୁ ୩ ଲକ୍ଷ ୫୦ ହଜାର ନିଯୁକ୍ତି ଦେବା ପାଇଁ ୧୨୪ ବର୍ଷ ଲାଗିବ । ନିଯୁକ୍ତି କ୍ଷେତ୍ରରେ ସରକାରଙ୍କ ବିଫଳତା ଜଳ ଜଳ ହୋଇ ଦିଶୁଛି । ସେହିପରି, ସୁଶାସନ ପ୍ରଦାନ କ୍ଷେତ୍ରରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ମହିଳା ଅସୁରକ୍ଷିତ ହେବା, ରାଜ୍ୟର ଋଣ ଭାର ବୃଦ୍ଧି ଇତ୍ୟାଦି ରାଜ୍ୟର ଦୟନୀୟ ସ୍ଥିତିକୁ ପ୍ରଦର୍ଷିତ କରୁଛି ।