ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ୱାରା ଓଡ଼ିଶା ରାଜ୍ୟ ଆଇନ ଆୟୋଗଙ୍କ ବାର୍ଷିକ ରିପୋର୍ଟ ଓ ନୂତନ ୱେବ୍ସାଇଟ୍ ଉନ୍ମୋଚିତ
୨୮୮ଟି ଅଦରକାରୀ ଆଇନ ପ୍ରତ୍ୟାହାର ସହ ୮ଟି ପ୍ରମୁଖ ଆଇନ ସଂଶୋଧନ ପାଇଁ ପ୍ରସ୍ତାବ
ଭୁବନେଶ୍ୱର, ୦୭/୦୪: ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ଓ ଅଭିମୁଖ୍ୟ ନେଇ ଓଡ଼ିଶା ରାଜ୍ୟ ଆଇନ ଆୟୋଗ ଗଠନ ପରିକଳ୍ପନା କରିଥିଲେ, ତାହାର ଏକ ବର୍ଷ ପୂର୍ତ୍ତି ସହ ରାଜ୍ୟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ଲିପିବଦ୍ଧ ହୋଇ ରହିବ । ଆଜି ଆଇନ ଆୟୋଗ ଗଠନର ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ଯୋଗଦେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ଯେ ଦେଶ ସ୍ୱାଧୀନତାକୁ ଅନେକ ବର୍ଷ ବିତିଥିଲେ ମଧ୍ୟ ଅନେକ ଅଦରକାରୀ ଆଇନ ଏବେ ବି ବଳବତ୍ତର ରହିଛି । ତେବେ ମଧ୍ୟସ୍ଥତା ଆଇନ ପ୍ରଣୟନ, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ଆଦିର ପ୍ରଣୟନ ଆଜି ଯୁଗୋପଯୋଗୀ ସାବ୍ୟସ୍ତ ହୋଇଛି । ସେହିପରି ଓଡ଼ିଶା ରାଜ୍ୟ ଆଇନ ଆୟୋଗ ଗଠନ ପରେ ୨୮୮ଟି ଅଦରକାରୀ ଆଇନ ପ୍ରତ୍ୟାହର ସହ ୮ଟି ପ୍ରମୁଖ ଆଇନ ସଂଶୋଧନ ପାଇଁ ପ୍ରସ୍ତାବ ଆସିଛି । ଏହା ଆଇନ ବ୍ୟବସ୍ଥାରେ ସୁଧାର ଆଣିବା ସହ ବିକଶିତ ଓଡ଼ିଶା ଗଠନ ସ୍ୱପ୍ନକୁ ପୂରଣ କରିବା ସହ ଓଡ଼ିଆ ଅସ୍ମିତାକୁ ଏକ ନୂଆ ଦିଗ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆଇନ ଆୟୋଗଙ୍କ ୨୦୨୫-୨୬ ବର୍ଷ ପାଇଁ ବାର୍ଷିକ ରିପୋର୍ଟ ଉନ୍ମୋଚନ କରିବା ସହ ନୂତନ ୱେବ୍ସାଇଟ୍ https://law.odisha.gov.in/or/odisha-state-law-commission ର ଉଦ୍ଘାଟନ କରିଥିଲେ । ସେ କହିଥିଲେ ଯେ ଏହି ୱେବ୍ସାଇଟ୍ ପାରଦର୍ଶିତା ସୁନିଶ୍ଚିତ କରିବ ଏବଂ ଆଇନ ସଂଶୋଧନରେ ସାଧାରଣ ଲୋକଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହନ ଦେବ । ଏଥି ସହିତ ଏହା ରାଜ୍ୟ ଆଇନଗୁଡ଼ିକର ଆଧୁନିକୀକରଣକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ । ସେହିପରି ବାର୍ଷିକ ରିପୋର୍ଟ ହେଉଛି ଆୟୋଗର ସତ୍ୟନିଷ୍ଠ ପ୍ରୟାସ ଏବଂ ସମର୍ପଣର ପ୍ରତିଫଳନ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଉଲ୍ଲେଖ କରିଥିଲେ ।
ଏହି ଅବସରରେ ଆଇନ ଆୟୁକ୍ତ ଶ୍ରୀ ନ୍ୟାୟମୂର୍ତ୍ତି ବିଶ୍ୱନାଥ ରଥ ଓଡ଼ିଶା ରାଜ୍ୟ ଆଇନ ଆୟୋଗ ଗଠନ, କାର୍ଯ୍ୟଧାରା ଏବଂ ଲକ୍ଷ୍ୟ ପୂରଣ ଦିଗରେ କରିଥିବା କାର୍ଯ୍ୟ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ପବିତ୍ର ମୋହନ ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଆଇନ ଆୟୋଗର ସଦସ୍ୟ ଶ୍ରୀ ସୂର୍ଯ୍ୟ ପ୍ରସାଦ ମିଶ୍ର, ଶ୍ରୀ ସୌର ଚନ୍ଦ୍ର ମହାପାତ୍ର, ପ୍ରଫେସର ଲଲିତ କୁମାର ଦେବ ଏବଂ ସଦସ୍ୟ ସଚିବ ଶ୍ରୀ ଗଙ୍ଗାଧର ସେଠୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଓ ଓଡ଼ିଶା ରାଜ୍ୟ ଆଇନ ଆୟୋଗଙ୍କ ଅଧିକାରୀମାନେ ଉପସ୍ଥିତ ଥିଲେ ।