ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏସନ୍‌ ପକ୍ଷରୁ ଶୁଭାରମ୍ଭ

ଭୁବନେଶ୍ୱର, ୧୧/୦୪: ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି ସହ ପ୍ରତିଭା ଅନ୍ବେଷଣ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ୨.୦ର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏସନ୍‌ ପକ୍ଷରୁ ୟୁନିଟ୍‌-୧ ସ୍ଥିତ ଫୁଟବଲ୍‌ ଏକାଡେମୀ ପରିସରରେ ଏହି ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି । ଖୋର୍ଦ୍ଧା ଜିଲ୍ଲା ସ୍ତରରେ ଭୁବନେଶ୍ୱର ଅଧିନରେ ଫୁଟବଲ୍‌ ପ୍ରତିଯୋଗିତା ଆରମ୍ଭ ହୋଇଥିବାବେଳେ ଖୋର୍ଦ୍ଧା ଅଞ୍ଚଳରେ କବାଡ଼ି, ଖୋ-ଖୋ, ଭଲିବଲ୍‌ ଓ ଫୁଟବଲ୍‌ ମ୍ୟାଚ୍‌ର ପ୍ରତିଯୋଗିତାଗୁଡ଼ିକ ଅନୁଷ୍ଠିତ ହେବ । ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଫୁଟବଲ୍‌ ପ୍ରତିଯୋଗିତାରେ ଚାରିଟି ଗ୍ରୁପ୍‌ରେ ଉଭୟ ବାଳକ ଓ ବାଳିକା ସ୍ତରରେ ୧୮ଟି ଦଳ ଭାଗ ନେଇଛନ୍ତି । ଏହି ପ୍ରତିଯୋଗିତାର ଖେଳଗୁଡ଼ିକ ଅପରାହ୍ନ ୪ଟା ପରେ ଆରମ୍ଭ ହେଉଛି । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୨୪ ତାରିଖରେ ଶେଷ ହେବ । ବିଦ୍ୟାଳୟ ସ୍ତରରେ ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ଅନ୍ବେଷଣପୂର୍ବକ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ପ୍ରକାରର ଆୟୋଜନ କରାଯାଇଛି । ଏଥିରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ମ୍ୟାଚ୍‌ ଅଫିସିଆଲ୍‌ମାନେ ଉପସ୍ଥିତ ରହି ପ୍ରତ୍ୟେକ ପ୍ରତିଯୋଗିତାକୁ ତଦାରଖ କରୁଛନ୍ତି ।

ଏହି ଫୁଟବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଅଲମ୍ପିକ୍‌ ଆସୋସିଲସନ୍‌ର ସଭାପତି ଶ୍ରୀ ସମୀର ମହାନ୍ତି, ଖୋର୍ଦ୍ଧା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା, ସାମାଜିକ କର୍ମୀ ଶ୍ରୀ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଆଥ୍‌ଲେଟିକ୍‌ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଶ୍ରୀ ସୌର୍ଯ୍ୟ ରଞ୍ଜନ ପରିଜା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ଶୃଙ୍ଖଳାର ସହ କ୍ରୀଡ଼ାର ନିୟମକୁ ପାଳନ କରିବା ଏବଂ ଖେଳୁଆଡ୍‌ ମନୋଭାବ ନେଇ ନିଜର ଖେଳ ପ୍ରଦର୍ଶନ କରିବା ଉପରେ ଅତିଥିମାନେ ପରାମର୍ଶ ଦେଇଥିଲେ ।