ଝାରସୁଗୁଡ଼ା, ୧୨/୦୪: ନୃଶଂସ ମା’ର ନାରକୀୟ କାଣ୍ଡ। ମା’ର ଟାଙ୍ଗିଆ ଚୋଟରେ ଚାଲିଗଲା ପୁଅ ଝିଅଙ୍କ ଜୀବନ। ନିଜ ଜନ୍ମ କଲା ପିଲାଙ୍କୁ ଅତି ନିଷ୍ଠୁର ଭାବେ ହତ୍ୟା କଲା। ପିଲାଙ୍କୁ ହତ୍ୟା କରିବା ପରେ ନିଜର ଆତ୍ମହତ୍ୟା ଉଦ୍ୟମ। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି ଅଭିଯୁକ୍ତ ମା’। ଏଭଳି ସ୍ପର୍ଶକାତର ହତ୍ୟାକାଣ୍ଡ ଘଟିଛି ଝାରସୁଗୁଡ଼ା ଜିଲ୍ଲାରେ।
ଝାରସୁଗୁଡ଼ା ବିମାନବନ୍ଦର ଥାନା ଅନ୍ତର୍ଗତ ଟାଙ୍ଗରପାଲି ଗାଁରେ ରଞ୍ଜିତା ଓରାମ ନାମ୍ନୀ ଜଣେ ମହିଳା ଗତ କାଲି ବିଳମ୍ବିତ ରାତିରେ ସ୍ୱାମୀ ବାହାରକୁ ଉଠିଥିବା ବେଳେ ଏଭଳି କାଣ୍ଡ ଭିଆଇଥିଲା। ଘର ଭିତର ପଟୁ ବନ୍ଦ କରି ଦୁଇ ଶିଶୁ ଜିଜ୍ଞାସା ଓରାମ ଓ ବିଭାଂଶୁ ଓରାମ ଶୋଇଥିବା ବେଳେ ସେମାନଙ୍କୁ ଟାଙ୍ଗିଆରେ ହାଣି ପକାଇଥିଲା। ଏପରିକି ନିଜ ବେକକୁ କଟୁରୀରେ କାଟି ପକାଇଥିବା ବେଳେ ସ୍ୱାମୀ ଝରକା ପଟୁ ଦେଖି ପଡ଼ୋଶୀଙ୍କ ସହାୟତାରେ ମହିଳାଙ୍କୁ ଉଦ୍ଧାର କରି ପୋଲିସ ଜିମା ଦେଇଥିଲେ। ଏହା ପରେ ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟ ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବିମାନବନ୍ଦର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।