ସ୍ୱାମୀର ଚରିତ୍ରକୁ ସନ୍ଦେହ କରି ନିଷ୍ପାପ ଶିଶୁଙ୍କୁ ହତ୍ୟା କଲା ସନ୍ଦେହୀ ସ୍ତ୍ରୀ

ନିଜର ଦୁଇ ନିରୀହ ସନ୍ତାନଙ୍କୁ କୁରାଢ଼ୀରେ ହାଣି ହତ୍ୟା କଲା

ଝାରସୁଗୁଡ଼ା, ୧୨/୦୪: ଏୟାରପୋର୍ଟ ଥାନା ଅନ୍ତର୍ଗତ ଟାଙ୍ଗରପାଲି ଅଞ୍ଚଳର ଓରାମ ପଡ଼ାରେ ଶନିବାର ବିଳମ୍ବିତ ରାତିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଜଣେ ୩୦ ବର୍ଷୀୟା ସନ୍ଦେହୀ ମହିଳା ନିଜର ଦୁଇ ସନ୍ତାନଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ଅଭିଯୁକ୍ତ ରଞ୍ଜିତା ଓରାମ ଏକ କୁରାଢ଼ୀ ଏବଂ ପନିକି ସାହାଯ୍ୟରେ ନିଜର ୧୦ ବର୍ଷର ଝିଅ ଜିଜ୍ଞାସା ଏବଂ ୪ ବର୍ଷର ପୁଅ ବିଭାଂଶୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ମୃତକଙ୍କ ପିତା ତଥା ଅଭିଯୁକ୍ତ ରଞ୍ଜିତାଙ୍କ ସ୍ୱାମୀ ସୀତାରାମ ଓରାମଙ୍କ କହିବା ଅନୁଯାୟୀ, ଏହି ଦୁଃଖଦ ଘଟଣା ଶନିବାର ରାତି ପ୍ରାୟ ସାଢେ ୧୧ ଟା ସମୟରେ ଘଟିଥିଲା। ରଞ୍ଜିତା ବାହାରେ ଶୌଚ ହେବାକୁ ଯିବା ପାଇଁ ତାଙ୍କୁ ନିଦରୁ ଉଠାଇଥିଲେ। ସୀତାରାମ କବାଟ ଖୋଲି ବାହାରକୁ ଯିବା ମାତ୍ରେ ରଞ୍ଜିତା ଭିତର ପଟୁ କବାଟ କିଳି ଦେଇଥିଲେ।

ସୀତାରାମ କିଛି ବୁଝିବା ପୂର୍ବରୁ, ରଞ୍ଜିତା ଶୋଇଥିବା ପିଲାମାନଙ୍କୁ କୁରାଢ଼ୀରେ ଆକ୍ରମଣ କରିବା ସହ ନୃଶଂସ ଭାବେ

ପନିକିରେ ସେମାନଙ୍କ ଗଳା କାଟି ଦେଇଥିଲା।

ଭୟଭୀତ ହୋଇ ସୀତାରାମ ଚିତ୍କାର କରିବା ସହ ନିଜ ଭାଇ ଓ ପଡ଼ୋଶୀମାନଙ୍କୁ ଡାକିଥିଲେ। ସେମାନେ ଘରର ଏକ ଅଧାଗଢ଼ା ଝରକା ବାଟେ ଭିତରକୁ ପଶିଥିଲେ।

“ଭିତରର ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଥିଲା। ଆମେ ଭିତରକୁ ଯିବା ବେଳେ ସେହି ମହିଳା ଜଣକ ଉତ୍ତ୍ୟକ୍ତ ଅବସ୍ଥାରେ କୁରାଢ଼ୀ ଧରି ଆମକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ,” ବୋଲି ଜଣେ ସମ୍ପର୍କୀୟ କହିଛନ୍ତି।

ଏହି ସମୟରେ ରଞ୍ଜିତା ନିଜ ବେକକୁ କାଟି ଆତ୍ମହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଥିଲା। ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିବା ସହ ଏୟାରପୋର୍ଟ ପୋଲିସକୁ ଖବର ଦେଇଥିଲେ।

ଏସପି ଜି. ରେଡ୍ଡୀ ରାଘବେନ୍ଦ୍ର କହିଛନ୍ତି ଯେ, ଅଭିଯୁକ୍ତ ରଞ୍ଜିତା ତାଙ୍କ ସ୍ୱାମୀଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ଅବୈଧ ସମ୍ପର୍କ ଥିବା ସନ୍ଦେହ କରୁଥିଲେ। ଏହି କାରଣରୁ ସେ ନିଜର ଦୁଇ ନିଷ୍ପାପ ସନ୍ତାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କୁରାଢ଼ି ଓ ପନିକି ଜବତ କରିବା ସହ ପିଲାମାନଙ୍କ ଶବ ଉଦ୍ଧାର କରିଥିଲା। ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ।

ପ୍ରଥମେ ରଞ୍ଜିତାଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାର ଅବସ୍ଥା ସ୍ଥିର ଥିବା ପୁଲିସ୍ କହିଛି ।

ମୃତଦେହ ବ୍ୟବଚ୍ଛେଦ ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣାଟି ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।