୧୬ ଏପ୍ରିଲରେ ଇତିହାସ ରଚିବାକୁ ଯାଉଛି ସଂସଦ: ପ୍ରଧାନମନ୍ତ୍ରୀ ମୋଦି
‘ଏକବିଂଶ ଶତାବ୍ଦୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି’
ନୂଆଦିଲ୍ଲୀ, ୧୩/୦୪: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନାରୀ ଶକ୍ତି ବନ୍ଦନ ସମ୍ମେଳନ ଅନୁଷ୍ଠିତ ହୋଇଛି। ସମ୍ମେଳନରେ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ସଫଳ ମହିଳା ଉପସ୍ଥିତ ଥିଲେ। ଶିକ୍ଷା, ବିଜ୍ଞାନ, କ୍ରୀଡା, ସଂସ୍କୃତି ଓ ସାମାଜିକ କାର୍ଯ୍ୟ ପ୍ରତିନିଧି ଏକତ୍ରିତ ହୋଇଛନ୍ତି। ୧୬ ଏପ୍ରିଲରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ ହେବ। ଏହି ଅବସରରେ ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ୱୋଧନ କରି କହିଛନ୍ତି, ନାରୀ ଶକ୍ତି ବନ୍ଦନ’ ଦେଶର ନାରୀଙ୍କ ପାଇଁ ସମର୍ପିତ। ଭାରତ ଏକ ମହତପୂର୍ଣ୍ଣ ନିର୍ଣ୍ଣୟ ନେବାକୁ ଯାଉଅଛି। ଏହି ନିର୍ଣ୍ଣୟ ନାରୀମାନଙ୍କୁ ସମର୍ପିତ। ୨୦୨୩ ମସିହାରେ, ସଂସଦର ନୂତନ କୋଠାରେ, ଆମେ ମହିଳା ସଶକ୍ତିକରଣ ଆଇନ ପ୍ରଣୟନ କରିଥିଲୁ। ଏହାକୁ ସମୟ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ, ୧୬ ଏପ୍ରିଲରୁ ସଂସଦର ବଜେଟ ଅଧିବେଶନର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତା ୧୬ ଏପ୍ରିଲରେ ଇତିହାସ ରଚିବାକୁ ଯାଉଛି ସଂସଦ।
ସବୁ ଦଳ ‘ନାରୀ ଶକ୍ତି ବନ୍ଦନ’କୁ ସମର୍ଥନ ଦେବାକୁ ଅନୁରୋଧ। ମୁଁ ମାଆ ଓ ଭଉଣୀମାନଙ୍କ ଆଶୀର୍ବାଦ ନେବାକୁ ଏଠାକୁ ଆସିଛି। ଏବେ ଦେଶ ସକରାତ୍ମକ ନିଷ୍ପତ୍ତି ଆଡ଼କୁ ଅଗ୍ରସର ହେଉଛି। ୨୧ଟି ରାଜ୍ୟରେ ମହିଳାଙ୍କ ଭାଗିଦାରୀ ୫୦ ପ୍ରତିଶତ ଅଛି। ମହିଳାଙ୍କ ଭାଗିଦାରୀ ଗଣତନ୍ତ୍ରକୁ ସୁଦୃଢ କରିଛି। ଆଜିର ସରକାର ମାଆ ଓ ଭଉଣୀମାନଙ୍କ ପାଇଁ ସମର୍ପିତ। ମହିଳାଙ୍କ ସମ୍ମାନ ରକ୍ଷା ପାଇଁ ମାଗଣା ଶୌଚାଳୟ କରାଯାଇଛି। ସେନା ବାହିନୀଠାରୁ ଆରମ୍ଭ କରି ସବୁଠି ମହିଳା ଆଗରେ ରହିଛନ୍ତି। ମହିଳାଙ୍କ ନାଁରେ ମିଳୁଛି ପିଏମ୍ ଆବାସ ଯୋଜନା। ବ୍ୟବସାୟୀରେ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି ମହିଳା।
ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ‘ନାରୀ ଶକ୍ତି ବନ୍ଦନ’ କାର୍ଯ୍ୟକ୍ରମ ମାଧ୍ୟମରେ, ଦେଶର କୋଟି କୋଟି ମାଆ ଏବଂ ଭଉଣୀଙ୍କ ଆଶୀର୍ବାଦ ମିଳୁଛି, ଯାହା ଏହି ପଦକ୍ଷେପକୁ ଆହୁରି ମଜବୁତ କରିବ।