ଅପୂର୍ବା ୨୮ତମ ବିଷୁବ ମିଳନ ଲୋକାର୍ପିତ

‘ଓଡ଼ିଆ ଭାଷା ସାହିତ୍ୟର ଏକ ପ୍ରମୁଖ ଅଳଙ୍କାର ହେଉଛି କବିତା’

ଭୁବନେଶ୍ୱର, ୧୮/୦୪: ରାଜ୍ୟର ସଂଭ୍ରାନ୍ତ ସାହିତ୍ୟ ପତ୍ରିକା ଏବଂ ଅଗ୍ରଣୀ ପୁସ୍ତକ ପ୍ରକାଶନ ‘ଅପୂର୍ବା ପ୍ରକାଶନୀ’ ପକ୍ଷରୁ ଏହାର ୨୮ତମ ବିଷୁବ ମିଳନ ଓ କବିତା ଆସର, ପୁସ୍ତକ ଲୋକାର୍ପଣ ଉତ୍ସବ ସ୍ଥାନୀୟ ୟୁନିଟ୍-୩ ବୁଦ୍ଧ ମନ୍ଦିର ସଭାଗୃହରେ ପାଳିତ ହୋଇ ଯାଇଛି। ବିଶିଷ୍ଟ କବି ଡ. ପ୍ରସନ୍ନ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାରସ୍ୱତ ଆସରକୁ ବିଶିଷ୍ଟ କବି ଡ. ଆଶୁତୋଷ ପରିଡ଼ା ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ପ୍ରଶାସକ ତଥା ବିଶିଷ୍ଟ କବି ରଂଜନ କୁମାର ଦାସ, ବିଶିଷ୍ଟ ଅତିଥିଭାବେ ବରିଷ୍ଠ କବି ତଥା ପି.ଆଇ.ବି.ର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଯୋଗଦାନ କରିଥିଲେ।

ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଅପୂର୍ବାର ଅଧ୍ୟକ୍ଷ ଗାଳ୍ପିକ କ୍ଷୀରୋଦ ଚନ୍ଦ୍ର ପତି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ଉପସ୍ଥିତ ଶତାଧିକ କବି ଲେଖକମାନଙ୍କୁ ସ୍ୱାଗତ କରି ଅପୂର୍ବା ଅନୁଷ୍ଠାନର ସାହିତ୍ୟିକ ଅଙ୍ଗୀକାର ବାବଦରେ ଏକ ମାର୍ମିକ ତଥ୍ୟ ଉପସ୍ଥାପନା କରିଥିଲେ।

ଉଦ୍ଘାଟକ ଭାବେ ଯୋଗଦାନ କରି ବିଶିଷ୍ଟ କବି ଡ. ଆଶୁତୋଷ ପରିଡ଼ା କହିଲେ ସାହିତ୍ୟ ସଂସ୍କୃତି କଳା ପ୍ରତି ସାମୂହିକ ଆକର୍ଷଣ ଓ ଶ୍ରଦ୍ଧା ଆହୁରି ଅନ୍ତରଂଗ ହେବା ଉଚିତ୍। ଓଡ଼ିଆ କବିତାର ପାଠକ ସଂଖ୍ୟା କମ୍ ହେଲେ ମଧ୍ୟ କବିତାର ଆକର୍ଷଣ ଏକ ସ୍ୱତନ୍ତ୍ର ଆବେଦନର ଅପେକ୍ଷା ରଖେ। ଏ ପରିପ୍ରେକ୍ଷୀରେ ବିଶ୍ୱ ସାହିତ୍ୟର ବିଭିନ୍ନ କବିତା ସହ ଆମ ଭାଷାର କବିତାର ଏକ ତୁଳନାତ୍ମକ ଚିତ୍ର ସେ ଉପସ୍ଥାପନ କରି ଶ୍ରୋତାମାନଙ୍କ ମନକୁ ଛୁଇଁ ଥିଲେ।

ମୁଖ୍ୟ ଅତିଥିଭାବେ ଯୋଗଦେଇ ବରିଷ୍ଠ ପ୍ରଶାସକ ତଥା ବରିଷ୍ଠ କବି ଶ୍ରୀ ରଂଜନ କୁମାର ଦାସ କହିଲେ କବିତା ହେଉଛି ଆମ ଭାଷା ସାହିତ୍ୟର ଏକ ପ୍ରମୁଖ ଅଳଙ୍କାର। ଏହା ଯେତିକି ଆକର୍ଷଣୀୟ ହୋଇ ପାରିବ ଆମ ଭାଷା ସାହିତ୍ୟ ଆମ ଅସ୍ମିତା ସେତିକି ଲୋକପ୍ରିୟ ହୋଇ ପାରିବ। ସେ କହିଲେ, ଆମ ଭାଷା ସାହିତ୍ୟ ପ୍ରଚାର ପ୍ରସାର ଦିଗରେ ପୁସ୍ତକର ଏକ ମହନୀୟ ଭୂମିକା ରହିଛି। ଏ ବାବଦରେ ଆମ ରାଜ୍ୟ ମୁଖ୍ୟାଳୟ ରାଜଧାନୀରେ ଏକ ପୁସ୍ତକ ବିପଣୀମାଳାର ଆବଶ୍ୟକତା ରହିଛି। ରାଜ୍ୟବାସୀମାନଙ୍କ ସହ ବାହାରୁ ଆସୁଥିବା ସାହିତ୍ୟ ଅନୁରାଗୀମାନଙ୍କ ମନ ପସନ୍ଦର ପୁସ୍ତକ କିପରି ସହଜରେ ଉପଲବ୍ଧ ହୋଇ ପାରିବ ସେ ଦିଗରେ ଆମେମାନେ ଚିନ୍ତା କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବରିଷ୍ଠ କବି ତଥା ପି.ଆଇ.ବି. ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଲେ ଯେ, କବିତା ହେଉଛି ସାହିତ୍ୟର ଦର୍ପଣ ସଦୃଶ। ଏଥିରେ କବିର ମନବେଦନା ସ୍ପଷ୍ଟ ପ୍ରତିଫଳିତ ହୋଇଥାଏ। ଏହାର ମୋ÷ଳିକତା ଓ ଯର୍ଥାଥତା ପାଇଁ କବି ଉତରଦାୟୀ। ସେ ନିଜକୁ ପ୍ରଶ୍ନ କରିବା ଉଚିତ୍ ଯେ ସେ ନିଜ କବିତାରେ ସତ୍ୟ କହୁଛି କି ନାହିଁ। କେବଳ ଭାବପ୍ରବଣତାର ବାଖ୍ୟାନ ନ ହୋଇ ସାଧାରଣ ଜନଜୀବନର ମୋ÷ଳିକ ଚିତ୍ର କବିତାରେ ରୂପ ପାଇବା ଆବଶ୍ୟକ।

ସଭାପତି ଭାବେ ଯୋଗଦେଇ ବିଶିଷ୍ଟ କବି ଡ. ପ୍ରସନ୍ନ କୁମାର ମହାନ୍ତି କହିଲେ ଯେ, ଭଲ କବିତା କୋଳାହଳରୁ ନୁହେଁ ବରଂ କବିର ସୃଜନ ତପସ୍ୟାରୁ ହିଁ ଜନ୍ମ ନିଏ। ସାହିତ୍ୟକାରର ଯେଉଁ କୃତୀଗୁଡ଼ିକ ଏଭଳି ତପ ଜନ୍ମିତ ତାହା ଅଚିରେ ଗୋଟିଏ ଗୋଟିଏ କାଳଜୟୀ କୃତି ହେବାର ଯୋଗ୍ୟତା ରଖେ। ଏହି କ୍ରମରେ ସେ କେତେଗୁଡ଼ିଏ ଓଡ଼ିଆ କବିତାର ଉଦାହରଣ ଦେଇ ଆମ କାବ୍ୟ ସାହିତ୍ୟର ଉଜ୍ଜ୍ୱଳ ଦିିଗ ପ୍ରତି ସଂକେତ ରଖିଥିଲେ।

ଏହି ଆସରରେ ସମ୍ମାନନୀୟ ଅତିଥିମାନଙ୍କ ଦ୍ୱାର ଅପୂର୍ବାର ବିଷୁବ ସଂଖ୍ୟା ଲୋକାର୍ପିତ ହେବା ସହ ଅପୂର୍ବା ପ୍ରକାଶନୀ ପ୍ରକାଶ କରିଥିବା ଡକ୍ଟର ମାୟାବିନୀ ଜେନାଙ୍କ କବିତା ସଂକଳନ ‘ସମର୍ପଣ’ ଡକ୍ଟର ବିଜୟ କେତନ ପଟ୍ଟନାୟକଙ୍କ କବିତା ସଂକଳନ ‘କବିତା ଊନପଞ୍ଚାଶ’ ଓ କବି ସୁଶାନ୍ତ କୁମାର ନାୟକଙ୍କ କବିତା ସଂକଳନ ‘ପ୍ରତ୍ୟୟର ପ୍ରତିଶ୍ରୁତି’ କବିତା ସଂକଳନ ଲୋକାର୍ପିତ କରାଯାଇଥିଲା।

ଦ୍ୱିତୀୟ ଅଧିବେସନରେ କବି ଡ. ଗୀତାଶ୍ରୀ ପ୍ରିୟମ୍ବଦା ଓ ଡ. ସସ୍ମିତା ଦାଶଙ୍କ ସଂଯୋଜନାରେ କବି ଡ. ଆଶୁତୋଷ ପରିଡ଼ା, ହୃଷୀକେଶ ମଲ୍ଲିକ, ପ୍ରସନ୍ନ କୁମାର ମହାନ୍ତି, ରଂଜନ କୁମାର ଦାଶ, ଅଶ୍ୱିନୀ କୁମାର ମିଶ୍ର, ରକ୍ଷକ ନାୟକ, କମଳାକାନ୍ତ ପଣ୍ଡା, ବୀରେଶ୍ୱର ମହାନ୍ତି, ଚୌଧୁରୀ ବରଦା ପ୍ରସନ୍ନ ଦାସ, ମନୁ ଦାଶ, ଡାକ୍ତର ପ୍ରଶାନ୍ତ କୁମାର ବିଶ୍ୱାଳ, ଡାକ୍ତର ସର୍ବେଶ୍ୱର ଶତପଥୀ, ସୁଶାନ୍ତ କୁମାର ନାୟକ, ସୁଶୀଲ କୁମାର ସିଂହ, ସୁଶାନ୍ତ ବଳ, ଆନନ୍ଦ ପହି, ଇଂ ସୁରେନ୍ଦ୍ର ସାହୁ, ଡ. ମାୟାବିନୀ ଜେନା, ଅଶୋକ ସିଂହ, କୁମୁଦିନୀ ଜୀ, ରମାକାନ୍ତ ଜେନା, ଉମାକାନ୍ତ ରାଉତ, ସୁରେନ୍ଦ୍ର ପାଣିଗ୍ରାହୀ, ଡ. ଅଶୋକ ମହାନ୍ତି, ବିଜୟ ପଟ୍ଟନାୟକ, ଇନ୍ଦୁମତି ପାତ୍ର, କନକ ମଂଜରୀ ସାହୁ, ଅରୁଣ କୁମାର ସାହୁ, ସରୋଜ ମହାପାତ୍ର, ଡ. ସବିତା ରାଉତରାୟ, ଡ. ଗୋବିନ୍ଦ ଦାଶ, ଭୁବନ ମୋହନ ମହାନ୍ତି, ଡ. ସବିତା ରାଉତରାୟ, ଡ. ମାନସୀ କର ପ୍ରଭୃତି ଶତାଧିକ କବି ନିଜ ନିଜର କବିତା ପାଠ କରିଥିଲେ। ଅପୂର୍ବା ତରଫରୁ କବି ତ୍ରିଲୋଚନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅପୂର୍ବାର ପରିଚାଳନା ସଂପାଦିକା ଆଡ଼ଭୋକେଟ୍ ଲୋପାମୁଦ୍ରା ଦାଶ, କବି ଦୟାନିଧି ନାୟକ, ମନମୋହନ ଷଡ଼ଙ୍ଗୀ, ସୂର୍ଯ୍ୟ ପରିଡ଼ା ଓ ମନୋଜ କୁମାର ନାୟକ ଉତ୍ସବ ପରିଚାଳନା କରିଥିଲେ।