ଭାରତୀୟ ନିର୍ମାଣ କଂଗ୍ରେସ ଦ୍ବାରା ବିଶ୍ବ ଐତିହ୍ୟ ଦିବସ ପାଳନ

‘ପ୍ରାକୃତିକ ବିପର୍ଯ୍ୟୟ ଓ ଯୁଦ୍ଧ ପରିସ୍ଥିତିରେ ସଙ୍କଟରେ ଅଛି ସଂସ୍କୃତି ଓ ଐତିହ୍ୟ’

ଭୁବନେଶ୍ୱର, ୧୯/୦୪: ଭାରତୀୟ ନିର୍ମାଣ କଂଗ୍ରେସ, ଓଡ଼ିଶା ଶାଖା ତରଫରୁ ବିଶ୍ବ ଐତିହ୍ୟ ଦିବସ ପାଳିତ ହୋଇଯାଇଛି। ଆଭାସୀ ମାଧ୍ଯମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଶାଖାର ଅଧ୍ୟକ୍ଷ ଇଂ. ବିଜୟ ଚନ୍ଦ୍ର ତ୍ରିପାଠୀ ସଭାପତିତ୍ବ କରିଥିଲେ ଓ ଭି ଏସ୍ ଏସ୍ ୟୂ ଟି ବୁର୍ଲାର ଆର୍କିଟେକ୍ଚର ବିଭାଗର ସହଯୋଗୀ ଅଧ୍ୟାପକ ଶ୍ରୀ ଅମିତ କୁମାର ଚାଟାର୍ଜୀ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ।

ପ୍ରାରମ୍ଭିକ ବକ୍ତବ୍ୟରେ ଅଧ୍ୟକ୍ଷ ଇଂ. ବିଜୟ ଚନ୍ଦ୍ର ତ୍ରିପାଠୀ ପ୍ରକାଶ କରିଥିଲେ ଯେ, ୟୂ ଏନ୍ ଇ ଏସ୍ ସି ଓର ନିଷ୍ପତ୍ତି ଅନୁଯାୟୀ ଏପ୍ରିଲ ୧୮ ୧୯୮୨ ରୁ ସାରା ବିଶ୍ବରେ ଏହି ଦିବସ ପାଳନ ହୋଇଆସୁଛି। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ବିଭିନ୍ନ ଦେଶର ସାଂସ୍କୃତିକ ଐତିହ୍ୟ ଓ ପ୍ରାଚୀନ କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ଜନମାନସରେ ସଚେତନତା ସୃଷ୍ଟି କରିବା।

ଆମର ସଂସ୍କୃତି ଓ ଐତିହ୍ୟ ଆଜି ସଙ୍କଟମୟ ସ୍ଥିତିରେ ଗତି କରୁଛି। ପ୍ରାକୃତିକ ବିପର୍ଯ୍ୟୟ ଓ ଯୁଦ୍ଧ ତଥା ଆତଙ୍କବାଦ ପରିସ୍ଥିତିରେ ଏସବୁକୁ ସୁରକ୍ଷା ଦେବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ସଂଗଠିତ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି।

ମୁଖ୍ୟ ବକ୍ତା ଶ୍ରୀ ଅମିତ କୁମାର ଚାଟାର୍ଜୀ ବକ୍ରବ୍ୟ ରଖୁଥିଲେ ଯେ, ଆମ ଦେଶର ଇତିହାସ ଅତି ଗୌରବମୟ ଏବଂ ବିଶ୍ବ ସ୍ତରରେ ଏହାର ସ୍ଥାନ ସ୍ବତନ୍ତ୍ର। ସେ କହିଥିଲେ ଯେ, ୟୁନେସ୍କୋ ହାସଲ କରିଥିବା ବିଶ୍ବ ଐତିହ୍ୟ ସ୍ଥଳୀ ପ୍ରତ୍ୟେକ ଦେଶର ସମ୍ପତ୍ତା ଓ ପ୍ରାଚୀନ ସଂସ୍କୃତିର ମହତ୍ତ୍ବକୁ ପରିପ୍ରକାଶ କରିଥାଏ । ୧୯୮୩ରେ ୪ଟି ଐତିହାସିକ ସ୍ଥଳକୁ ବିଶ୍ବ ଐତିହ୍ୟ ସ୍ବୀକୃତି ପ୍ରଦାନ କରାଯାଇଥିଲା। ସେଗୁଡ଼ିକ ହେଲା— ଅଜନ୍ମା ଗୁମ୍ଫା, ଏଲୋରା ଗୁମ୍ଫା, ଆଗ୍ରା କିଲ୍ଲା ଓ ତାଜମହଲ । ସାମ୍ପ୍ରତିକ ସମୟ ସୁଦ୍ଧା ସମଗ୍ର ବିଶ୍ବରେ ୧୧୫୫ଟି ସ୍ଥଳକୁ ବିଶ୍ବ ଐତିହ୍ୟ ଭାବେ ଚିହ୍ନଟ କରାଯାଇଛି । କିନ୍ତୁ ଏହିସବୁ ପ୍ରାଚୀନ ସୁଳଗୁଡ଼ିକର ସୁରକ୍ଷା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ କାର୍ଯ୍ୟ କରିବା ଦରକାର, ନଚେତ୍ ଏହି ଅମୂଲ୍ୟ ସମ୍ପଦଗୁଡ଼ିକ କାଳକ୍ରମେ ବିଲୀନ ହୋଇଯିବେ।

ଏହି ଅବସରରେ ନ୍ୟାସନାଲ ଗଭର୍ଣ୍ଣିଂ କାଉନସିଲ ମେମ୍ବର ଇଂ. ମନୋଜରଞ୍ଜନ ମିଶ୍ର ଓ ଇଂ. ଦୁଃଖବନ୍ଧୁ ବେହେରା, ଭାଇସ୍ ଚେୟାର ମ୍ୟାନ ପ୍ରଫେସର ପ୍ରଭାତ ପାଢ଼ୀ, ଶ୍ରୀ ଅଶୋକ ବାସା ଆଡଭାଇଜର, ଆଇ ବି ସି , ଓଡ଼ିଶା ଚାପ୍ଟର, ଇଂ. ଦେବପ୍ରିୟ ତ୍ରିପାଠୀ ଟ୍ରେଜରର୍‌, ଇଂ. ଶୁଭେନ୍ଦୁ ଭଟ୍ଟାଚାର୍ଯ୍ୟ ସେକ୍ରେଟାରୀ ପ୍ରମୁଖ ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ପାଇଁ ନିଜ ନିଜର ମତବ୍ୟକ୍ତ କରିଥିଲେ। ଶେଷରେ ଆୟୋଜିତ ଏହି ସଭାରେ ଇଂ. ଦେବପ୍ରିୟ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।