ବିଜେପି ରାଜ୍ୟ ପଦାଧିକାରୀ ବୈଠକ

ଆସନ୍ତା ମେ ୧ ତାରିଖରୁ ମାସ ଶେଷ ସୁଦ୍ଧା ରାଜ୍ୟର ୩୭ଟି ସାଙ୍ଗଠନିକ ଜିଲ୍ଲାରେ ଅନୁଷ୍ଠିତ ହେବ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ମହାଅଭିଯାନ

ସଙ୍ଗଠନକୁ ବୁଥ୍ ସ୍ତର ପର୍ଯ୍ୟନ୍ତ ସଶକ୍ତ କରିବା ପାଇଁ ହୋଇଛି ବିସ୍ତୃତ ଆଲୋଚନା: ବିରଂଚି ନାରାୟଣ ତ୍ରିପାଠୀ

ଭୂବନେଶ୍ୱର, ୧୯/୦୪: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାର୍ଟିର ସାଂଗଠନିକ ଦୃଷ୍ଟିକୋଣରୁ ବୁଥ କମିଟି ଠାରୁ ଆରମ୍ଭ କରି ମଣ୍ଡଳ କମିଟି ଓ ଜିଲ୍ଲା କମିଟି ପର୍ଯ୍ୟନ୍ତ ବିସ୍ତୃତ ଆଲୋଚନା କରାଯାଇଥିଲା । ପାର୍ଟୀ ପ୍ରତିଷ୍ଠା ଦିବାସ, ଆମ୍ବେଦକର ଜୟନ୍ତୀ ଏବଂ ବିଶେଷ ଭାବେ ସଂପ୍ରତି ଚାଲୁ ରହିଥିବା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନର ସମୀକ୍ଷା କରାଯାଇଥିଲା । ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ପ୍ରାୟ ସଫଳତାର ସହ ସମାପ୍ତ ହୋଇସାରିଛି ଏବଂ ବର୍ତ୍ତମାନ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରକୁ ସଫଳ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା । ଆସନ୍ତା ମେ ୧ ତାରିଖରୁ ମାସ ଶେଷ ସୁଦ୍ଧା ରାଜ୍ୟର ୩୭ଟି ସାଙ୍ଗଠନିକ ଜିଲ୍ଲାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି ।

ବୈଠକ ସଂପର୍କରେ ସୂଚନା ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଥାଏ । ସେ ଦୃଷ୍ଟିରୁ ଆଜି ପାର୍ଟିର ସମସ୍ତ ରାଜ୍ୟ ପଦାଧିକାରୀ ଏବଂ ଜିଲ୍ଲା ପ୍ରଭାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ଶ୍ରମତୀ ପ୍ରଭାରୀ ପରିଡା, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମାର, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତିଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ ଏବଂ ଜିଲ୍ଲା ପ୍ରଭାରୀମାନେ ଉପସ୍ଥିତ ଥିଲେ ।

ସଙ୍ଗଠନକୁ ବୁଥ୍ ସ୍ତର ପର୍ଯ୍ୟନ୍ତ ସଶକ୍ତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ପ୍ରତ୍ୟେକ ମଣ୍ଡଳ ଓ ବୁଥ ସ୍ତର ପର୍ଯ୍ୟନ୍ତ ପହଂଚାଇବା ପାଇଁ ବିସ୍ତୃତ ଆଲୋଚନା ହୋଇଛି । ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ମଧ୍ୟ ଆଲୋଚନା ହୋଇଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।