ଭୋଟର ତାଲିକାରୁ କଟିଲା ୯.୮ ଲକ୍ଷ ନାଁ

ଭୁଲରେ ନାଁ କଟିଥିଲେ ଯୋଡ଼ାଯିବ: ସିଇଓ

ଭୁବନେଶ୍ୱର, ୨୦/୦୪: ଭୋଟର ତାଲିକାରୁ କଟିଯାଇଛି ୯.୮ ଲକ୍ଷ ନାଁ। ଅନେକ ଜୀବିତ ଓ ସ୍ଥାନୀୟ ଭୋଟରଙ୍କ ନାଁ କଟାଯାଇଥିବା ଅଭିଯୋଗ ଆସିଛି। ଯାହା ପରେ ମୃତ ଭୋଟରଙ୍କ ନାଁ ପୂର୍ଣ୍ଣ ଯାଞ୍ଚ ପରେ ହିଁ କାଟିବାକୁ EROଙ୍କୁ ନିର୍ଦ୍ଦେଶ ଦେଇଛି ଗୃହ ବିଭାଗ।

ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି ଯେ, ଏନେଇ ପରିବାର କିମ୍ବା ନିକଟ ସଂପର୍କୀୟଙ୍କୁ ଫର୍ମ ୭ ଦାଖଲ କରିବାକୁ ହେବ। ସନ୍ଦେହଜନକ, ନକଲି କିମ୍ବା ତଥ୍ୟରେ ତ୍ରୁଟି ଥିଲେ ନୋଟିସ୍ କରି ଯାଞ୍ଚ କରିବାକୁ ହେବ। ଫର୍ମ-୭ ଆବେଦନର ୫୦% ମାମାଲାରେ ଫିଜିକାଲ ଭେରିଫିକେସନ ବାଧ୍ୟତାମୂଳକ।

ଅନ୍ୟପଟେ ଭୁଲ୍‌ରେ ଭୋଟର ତାଲିକାରୁ ନାଁ କଟିଥିଲେ ଯୋଡ଼ାଯିବ କହିଛନ୍ତି ସିଇଓ। ଏ ନେଇ ପ୍ରେସମିଟ୍‌ରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌. ସନ୍ଥଗୋପାଳନ ସୂଚନା ଦେଇ କହିଛନ୍ତି, ଗୃହ ବିଭାଗର ଚିଠି ଏକ ନିୟମିତ ପ୍ରକ୍ରିୟା, କେବଳ ଯାଞ୍ଚ ପାଇଁ କୁହାଯାଇଛି। ସାଧାରଣତଃ ଓଡ଼ିଶାରେ ୭ରୁ ୯ ଲକ୍ଷ ଭୋଟରଙ୍କ ନାଁ କଟିଥାଏ। ଏଥର ଟିକେ ଅଧିକ କଟିଛି, ତେଣୁ ଯାଞ୍ଚ ପାଇଁ କୁହାଯାଇଛି। ଯଦି ଭୁଲ୍‌ରେ ନାଁ କଟିଥିବ, ପୁଣି ତାଲିକାରେ ଯୋଡ଼ାଯିବ। କିନ୍ତୁ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବହୁ କମ୍‌ କଟିଛି।