ଚୀନରେ କରୋନାର ତାଣ୍ଡବ; ସଂଘାଇ ଡିଜନୀଲ୍ୟାଣ୍ଡ ବନ୍ଦ

ନୂଆଦିଲ୍ଲୀ: ଚୀନରେ ପୁଣି ଥରେ କରୋନାର ତାଣ୍ଡବ ଦେଖିବାକୁ ମିଳୁଛି । ଜିରୋ କରୋନା ନୀତି ଆଧାରରେ ଚୀନର କମ୍ୟୁନିଷ୍ଟ ସରକାର ଅନେକ ସହରରେ ଲକଡାଉନ ଲାଗୁ କରିଛନ୍ତି । ଅନ୍ୟପଟେ ସଂଘାଇରେ ଡିଜନୀଲ୍ୟାଣ୍ଡକୁ ସୋମବାର ହଠାତ ବନ୍ଦ କରାଯାଇଛି । ସଂଘାଇ ଡିଜନୀଲ୍ୟାଣ୍ଡ ନିଜ ସୋସିଆଲ ମିଡିଆ କାଉଣ୍ଟରେ ଏକ ନୋଟିସ ସେୟାର କରି ଥିମ ପାର୍କ ଏବଂ ଏହାର ଆଖପାଖର ସମସ୍ତ ସୁବିଧାକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବନ୍ଦ କରାଯାଉଛି ବୋଲି ଘୋଷଣା କରିଛି । ଅନ୍ୟପଟେ ପାର୍କରେ ପର୍ଯ୍ୟଟକଙ୍କୁ ବନ୍ଦୀ କରି ରଖାଯାଇଥିବା ଅଭିଯୋଗ ହୋଇଛି।

ଡିଜନୀ ନିଜ ବୟାନରେ କହିଛି, ‘ଆମେ ଅସବୁଧା ପାଇଁ କ୍ଷମା ଚାହୁଁଛୁ ଏବଂ ଏହି ଅବଧି ସମୟରେ ପ୍ରଭାବିତ ସମସ୍ତ ପର୍ଯ୍ୟଟକଙ୍କ ଟଙ୍କା ଫେରସ୍ତ କରାଯିବ । ସଂଘାଇ ଡିଜନୀଲାଣ୍ଡ ପୁଣି ଥରେ ଖୋଲିବା ପୂର୍ବରୁ ସମସ୍ତଙ୍କୁ ସୂଚୀତ କରାଯିବ’।

ଜନ ହାପକିନ୍ସ ୟୁନିଭର୍ସିଟି ଅନୁସାରେ, ସଂଘାରେ ଗତ ୨୮ ଦିନରେ କରୋନାରେ ୫୯୫ ଜଣଙ୍କ ମୃତ୍ୟୁ ସହ ୬୪,୨୮୨ ମାମଲା ଚିହ୍ନଟ ହୋଇଛି । ଅନ୍ୟପଟେ ମିଡିଆ ରିପୋର୍ଟ ଅନୁସାରେ, ଚୀନରେ ଗତ ଏକ ମାସରେ ୧,୭୮,୧୭୮ ମାମଲା ଏବଂ ୨୧୨ ଜଣଙ୍କ ଜୀବନ ଯାଇଛି ।

ଗତ ମାସରେ ଚୀନର କମ୍ୟୁନିଷ୍ଟ ପାର୍ଟି ଏବଂ ଏହାର ନେତା ସି ଜିନପିଙ୍ଗ ଜିରୋ-କୋଭିଡ ନୀତିରେ କୌଣସି କୋହଳ କରାଯିବନି ବୋଲି ସଂକେତ ଦେଇଥିଲେ । ଚୀନରେ ବର୍ତ୍ତମାନ ସମୟରେ ବଡ଼ ସହର ଗୁଡିକରେ ୨୦୦ରୁ ଅଧିକ ସ୍ଥାନରେ ଲକଡାଉନ ଲାଗୁ ରହିଛି ।