ତେହେରାନ, ୨୫/୦୪: ଇରାନ ଶନିବାର ଆଉ ଜଣେ ବ୍ୟକ୍ତିଙ୍କୁ ଫାଶୀ ଦେଇଛି। ଇର୍ଫାନ କିଆନି ନାମକ ବ୍ୟକ୍ତିକୁ ଫାଶୀଖୁଣ୍ଟରେ ଝୁଲାଇଲା ଇରାନ। ଇରାନୀ ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ ସେ ଇସ୍ରାଏଲୀ ଗୁପ୍ତଚର ସଂସ୍ଥା ମୋସାଦ ସହିତ ସମ୍ପର୍କରେ ଥିଲେ ଏବଂ ଜାନୁଆରୀ ୨୦୨୬ ରେ ସରକାର ବିରୋଧୀ ପ୍ରତିବାଦରେ ସକ୍ରିୟ ଭାବରେ ସାମିଲ ଥିଲେ।
ଇରାନର ନ୍ୟାୟପାଳିକା ସହିତ ଜଡିତ ଖବର ସଂସ୍ଥା, ମିଜାନ ରିପୋର୍ଟ କରିଛି ଯେ ଇସଫାହାନ ସହରରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ, ସରକାରୀ ଏବଂ ବ୍ୟକ୍ତିଗତ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା, ପୋଡ଼ାଜଳା ଏବଂ ଆତଙ୍କ ପ୍ରସାର କରିବା ପାଇଁ କିଆନି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କୋର୍ଟ ତାଙ୍କୁ “ମୋସାଦର ଭଡାଟିଆ ଗୁଣ୍ଡା” ଭାବରେ ବର୍ଣ୍ଣନା କରିଛନ୍ତି। ସୁପ୍ରିମକୋର୍ଟ ତାଙ୍କ ଦଣ୍ଡାଦେଶକୁ ନିଶ୍ଚିତ କରିବା ପରେ ଇରାନର ସୁରକ୍ଷା ବାହିନୀ ତାଙ୍କୁ ସକାଳେ ଫାଶୀ ଦେଇଥିଲେ। ସାମ୍ପ୍ରତିକ ଇରାନ-ଇସ୍ରାଏଲ ଯୁଦ୍ଧ ଏବଂ ଜାନୁଆରୀରେ ହୋଇଥିବା ଗଣ ବିକ୍ଷୋଭ ପରେ ଏହି ମୃତ୍ୟୁ ଦଣ୍ଡ ଦିଆଯାଇଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ତାଙ୍କ ହସ୍ତକ୍ଷେପ ପରେ ଇରାନରେ ମୃତ୍ୟୁଦଣ୍ଡ ବନ୍ଦ ହୋଇଛି, କିନ୍ତୁ ଅପରପକ୍ଷେ, ତେହେରାନରେ ଲୋକଙ୍କୁ ଫାଶୀ ଦିଆଯାଉଛି। ଇରାନ ସରକାର ପ୍ରତିବାଦକାରୀ ଏବଂ ଗୁପ୍ତଚରମାନଙ୍କୁ ମୃତ୍ୟୁଦଣ୍ଡ ଦେଇ ଚାଲିଛି। ଇରାନ ଅନୁଯାୟୀ, ତେହେରାନରେ ପୂର୍ବରୁ ସବୁ ପ୍ରତିବାଦକୁ ବିଦେଶୀ ଶକ୍ତି, ବିଶେଷକରି ଇସ୍ରାଏଲ ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକ ସମର୍ଥନ କରୁଥିଲେ।
ମାନବାଧିକାର ସଂଗଠନଗୁଡ଼ିକ କହିଛନ୍ତି ଯେ ଏପରି ମାମଲାରେ ବିଚାର ଗୁପ୍ତ ଭାବରେ କରାଯାଏ ଏବଂ ଅଭିଯୁକ୍ତମାନଙ୍କୁ ଉପଯୁକ୍ତ ଆଇନଗତ ପ୍ରତିରକ୍ଷାର ଅଧିକାର ଦିଆଯାଏ ନାହିଁ। ଗତ କିଛି ସପ୍ତାହରେ, ମୋସାଦ ସହିତ ସମ୍ପର୍କ ଥିବା ଅନେକ ବ୍ୟକ୍ତିଙ୍କୁ ଇରାନରେ ମୃତ୍ୟୁଦଣ୍ଡ ଦିଆଯାଇଛି।