ଟ୍ରମ୍ପଙ୍କ ଡିନର ପାର୍ଟିରେ ଗୁଳିମାଡ଼
ଟେବୁଲ ତଳେ ଲୁଚିଲେ ସାମ୍ବାଦିକ ଓ ସେଲିବ୍ରିଟି
ଗୁଳିମାଡ଼ ବେଳେ ଟ୍ରମ୍ପ, ମେଲାନିଆ, ଜେଡି ଭାନ୍ସ ଥିଲେ
ୱାଶିଂଟନ ଡିସି, ୨୬/୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡିନର୍ ପାର୍ଟିରେ ଫୁଟିଲା ଗୁଳି। ଓ୍ୱାଶିଂଟନ ଡିସିର ହିଲଟନ୍ ଗୁଳିରେ ଆୟୋଜିତ ପାର୍ଟିରେ ୪ରୁ ୬ ରାଉଣ୍ଡ ଫାୟାରିଂ ହୋଇଛି। ଯାହା ପରେ ରାଷ୍ଟ୍ରପତି ଟ୍ରମ୍ପ ସୁରକ୍ଷିତ ଥିବା ସୂଚନା ମିଳିଛି। ସେହି ପାର୍ଟିରେ ଥିବା ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ତେବେ ସୁରକ୍ଷା କର୍ମୀଙ୍କ ଦ୍ୱାରା ସନ୍ଦିଗ୍ଧକୁ ଅଟକ ରଖାଯାଇଛି।
ଜଣେ ଏଫବିଆଇ ଅଧିକାରୀ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି ଜଣେ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟଙ୍କ ଉପରେ ଗୁଳି ଚଳାଇଥିଲା, କିନ୍ତୁ ଗୁଳିଟି ସୁରକ୍ଷା ଗିଅରରେ ବାଜିଥିଲା ଏବଂ ଏଜେଣ୍ଟଙ୍କ କୌଣସି କ୍ଷତି ହୋଇନଥିଲା। ଗୁଳି ବାଜିବା ମାତ୍ରେ, ରାତ୍ରୀଭୋଜନରେ ଉପସ୍ଥିତ ଲୋକମାନେ ତୁରନ୍ତ ଆଲର୍ଟ ହୋଇଯାଇଥିଲେ। ଜୀବନ ବଞ୍ଚାଇବାକୁ ସାମ୍ବାଦିକ ଓ ସେଲିବ୍ରିଟିମାନେ ଟେବୁଲ ତଳେ ଲୁଚି ଯାଇଥିଲେ। ଏହି ଘଟଣାରେ କେହି ଆହତ ହୋଇନଥିବା ସୂଚନା ମିଳିଛି।
ଏହି ଗୁଳିକାଣ୍ଡ ପରେ ଟ୍ରମ୍ପ ପ୍ରେସମିଟରେ କହିଛନ୍ତି, ଘଟଣାରେ ସମସ୍ତ କ୍ୟାବିନେଟ ସଦସ୍ୟ ସୁରକ୍ଷିତ ଅଛନ୍ତି। ସୁରକ୍ଷାକର୍ମୀମାନେ ମୋ ଜୀବନ ବଞ୍ଚାଇ ଦେଲେ। ଜଣେ ସୁରକ୍ଷା କର୍ମୀଙ୍କ ଦେହରେ ଗୁଳି ବାଜିଥିଲା। କିନ୍ତୁ ସେ ବୁଲେଟ୍ ପ୍ରୁଫ ଜ୍ୟାକେଟ ପିନ୍ଧି ଥିବାରୁ ବଞ୍ଚିଗଲେ। ଆକ୍ରମଣକାରୀକୁ ସୁରକ୍ଷାକର୍ମୀ କାବୁ କରିଛନ୍ତି।
ଗୁଳିକାଣ୍ଡ ସମୟରେ ହୋଟେଲରେ ପ୍ରାୟ ୨୬୦୦ ଲୋକ ଥିଲେ। ଏହି ଘଟଣାର ସିକ୍ରେଟ ସର୍ଭିସ ଓ ଏଫବିଆଇ ତଦନ୍ତ କରୁଛନ୍ତି।