ବ୍ୟାଙ୍କ ଟଙ୍କା ଦେଲାନି: ଭଉଣୀର ୨ ମାସର ପୋତା ଶବକୁ ଖୋଳି ଆଣିଲା ଭାଇ
ଟଙ୍କା ଉଠାଇବା ପାଇଁ ଗ୍ରାହକ ଆସିବାକୁ ବ୍ୟାଙ୍କ କର୍ମଚାରୀଙ୍କ ଜିଦ୍
କେନ୍ଦୁଝର, ୨୭/୦୪: କେନ୍ଦୁଝର ଜିଲ୍ଲା ପାଟଣା ଥାନା ମଲ୍ଲିପଶି ଠାରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ଗ୍ରାମ୍ୟ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଭଉଣୀର ଶବ ଆଣି ଆସିଲା ଭାଇ। ୨ ମାସ ତଳର ପୋତା ଶବକୁ ଖୋଳି ବ୍ୟାଙ୍କ ସାମ୍ନାରେ ରଖିଲା।
ସୂଚନା ମୁତାବକ, ଭଉଣୀଙ୍କ ଆକାଉଣ୍ଟରେ ଥିବା ଟଙ୍କାକୁ ଉଠାଇବାକୁ ବାରମ୍ବାର ଆସିଥିଲେ ଭାଇ। ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଯାହାର ଆକାଉଣ୍ଟ ଅଛି ତାକୁ ଆସିବାକୁ ପଡିବ ବୋଲି କହୁଥିଲେ। ଟଙ୍କା ଉଠାଇବା ଲାଗି ଗ୍ରାହକ ଆସିବାକୁ ଜିଦ୍ କରିଥିଲେ ବ୍ୟାଙ୍କ କର୍ମଚାରୀ। ଭଉଣୀ ମରି ଯାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି ଶୁଣି ନ ଥିଲେ। ଯାହା ପରେ ଟଙ୍କା ଉଠାଇବା ପାଇଁ ୨ମାସର ପୋତା ଶବକୁ ଖୋଳି ଆଣିଲା ଭାଇ। ଖବରପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ପାଟଣା ପୋଲିସ। ବୁଝାସୁଝା କରି ମୃତଦେହକୁ ପୁନର୍ବାର ଫେରାଇ ନେଇ ତଦନ୍ତ ଚଳାଇଛି। ତେବେ ଏପରି ସମ୍ବେଦନଶୀଳ ଘଟଣା ନେଇ ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନି।