ଭାରତ ଆସିଲା ଦାଉଦ୍ ଇବ୍ରାହିମର ଡାହାଣ ହାତ

ଭାରତର ଗୁପ୍ତଚର ସଂସ୍ଥା-ଆନ୍ତର୍ଜାତୀୟ ଏଜେନ୍ସିର ମିଳିତ ଅପରେସନ ସଫଳ

ନୂଆଦିଲ୍ଲୀ, ୨୮/୦୪: ଭାରତୀୟ ଗୁଇନ୍ଦା ସଂସ୍ଥାକୁ ଏକ ବଡ଼ ସଫଳତା। ଭାରତରେ ଆସି ପହଞ୍ଚିଲା ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ର ଡାହାଣ ହାତ ସଲିମ୍ ଡୋଲା।

ସେ ଆନ୍ତର୍ଜାତୀୟ ଡ୍ରଗ୍ ମାଫିଆଙ୍କ ଜଣେ ହାଇ ରାଙ୍କିଂ ସଦସ୍ୟ। ସେ ଦାଉଦ୍ ଇବ୍ରାହିମ୍ ର ଅତି ନିକଟତର ସହଯୋଗୀ। ସଲିମ୍ ଡୋଲାକୁ ଆଜି ସକାଳେ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଅଣାଯାଇଛି।

ଭାରତର ଗୁପ୍ତଚର ସଂସ୍ଥା ଓ ଆନ୍ତର୍ଜାତୀୟ ଏଜେନ୍ସିର ମିଳିତ ଅପରେସନ ସଫଳ ହୋଇଛି। ତୁର୍କୀର ଇସ୍ତାନବୁଲରେ ଗିରଫ ହୋଇଥିବା ଡୋଲା କଡ଼ା ସୁରକ୍ଷା ମଧ୍ୟରେ ଦିଲ୍ଲୀ ଟେକ୍ନିକାଲ୍ ବିମାନବନ୍ଦରରେ ପହଞ୍ଚିଥିଲା।

ଦିଲ୍ଲୀରେ ପହଞ୍ଚିବା ପରେ, ଡୋଲାକୁ ତୁରନ୍ତ ଗୁଇନ୍ଦା ଅଧିକାରୀମାନେ ହେପାଜତକୁ ନେଇଥିଲେ ଏବଂ ବର୍ତ୍ତମାନ ତାକୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରାଯାଉଛି।

ଡୋଲା ଅଣ୍ଡରୱାର୍ଲ୍ଡର ନିଶାଦ୍ରବ୍ୟ କାରବାରରେ ଏକ ପ୍ରମୁଖ କିଙ୍ଗପିନ୍। ସେ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକ ଆନ୍ତର୍ଜାତୀୟ ସିନ୍ଥେଟିକ୍ ଡ୍ରଗ୍ ସାମ୍ରାଜ୍ୟ ପରିଚାଳନା କରିଆସିଛି। ସେ ଡି-କମ୍ପାନୀର ଜଣେ ସକ୍ରିୟ ସଦସ୍ୟ।

ସେ ସାଉଦି ଆରବରୁ ଜାଲ ଦଲିଲ୍ କରି ତୁର୍କୀରେ ଯାଇ ରହିଥିଲା। ୨୦୨୫ରେ ତା’ ପୁଅ ତାହେର ଡୋଲାକୁ ସାଉଦି ଆରବରୁ ପ୍ରତ୍ୟର୍ପଣ କରାଯାଇଥିଲା।

ଦୀର୍ଘ ଦିନ ଧରି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଏବଂ ମୁମ୍ବାଇ ପୋଲିସର ନଜରରେ ରହିଛି। ଡ୍ରଗ୍ସ ଚାଲାଣ ଏବଂ ମନି ଲଣ୍ଡରିଂ ସହିତ ଜଡିତ ବହୁ ବିଚାରାଧୀନ ମାମଲା ସହିତ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କୁ ଖୁବ୍ ଶୀଘ୍ର ମୁମ୍ବାଇ ପୋଲିସ କିମ୍ବା NCBକୁ ହସ୍ତାନ୍ତର କରାଯିବ ବୋଲି ଆଶା କରାଯାଉଛି।