ପହଲଗାମ ହମଲା ରିପିଟ୍! ଧର୍ମ ପଚାରି କଲ୍ମା ପଢ଼ିବାକୁ କହିଲା; ଶେଷରେ ଛୁରୀ ଭୁଷିଦେଲା
ଦୁଇ ସୁରକ୍ଷାକର୍ମୀଙ୍କୁ ଛୁରୀ ଭୁଷି ଅନସାରୀ ଗିରଫ
ମୁମ୍ବାଇ, ୨୮/୦୪: ଧର୍ମ ପଚାରିଲା। କଲ୍ମା ପଢିବାକୁ କହିଲା। ଶେଷରେ ଛୁରୀ ଭୁଷିଦେଲା। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ମୁମ୍ବାଇରେ। ନିକଟସ୍ଥ ମୀରା ରୋଡରେ ଦୁଇଜଣ ସୁରକ୍ଷାକର୍ମୀଙ୍କୁ ସେମାନଙ୍କ ଧର୍ମ ବିଷୟରେ ପଚାରିବା ସହ କଲ୍ମା ପାଠ କରିପାରିବେ କି ନାହିଁ ବୋଲି ପଚାରିବା ପରେ ଜଣେ ୩୧ ବର୍ଷୀୟ ବ୍ୟକ୍ତି ଛୁରୀ ଭୁଷି ହତ୍ୟା ଉଦ୍ୟମ କରିଛି।
ଅଭିଯୁକ୍ତ ଜୈବ ଜୁବୈର ଅନସାରୀ ବୋଲି ଚିହ୍ନଟ କରାଯାଇଛି। ସେ ISIS-ପ୍ରଚାର ଭିଡିଓ ଦେଖୁଥିଲା ବୋଲି ଜଣାପଡ଼ିଛି। ଆକ୍ରମଣରେ କୌଣସି ଉଗ୍ରବାଦୀ ଲିଙ୍କ୍ ଅଛି କି ନାହିଁ ପୋଲିସ ତଦନ୍ତ କରୁଛି।
ଘଟଣାଟି ରବିବାର ଭୋର ପ୍ରାୟ ୪ଟାରେ ଘଟିଥିଲା। ଘଟଣା ସମୟରେ ଦୁଇ ସୁରକ୍ଷା କର୍ମୀ ରାଜକୁମାର ମିଶ୍ର ଓ ସୁବ୍ରତ ସେନ୍ ଏକ ନିର୍ମାଣାଧୀନ କୋଠାରେ ଡ୍ୟୁଟି କରୁଥିଲେ। ସେହି ଅଞ୍ଚଳରେ ଅନସାରୀ ସୁରକ୍ଷାକର୍ମୀଙ୍କୁ ଦେଖି ସେମାନଙ୍କ ନାଁ ଏବଂ ଧର୍ମ ପଚାରିଥିଲା। ଯାହାର ଉତ୍ତର ସେମାନେ ଦେଇଥିଲେ। ତା’ପରେ ଅନସାରୀ ପଚାରିଥିଲା ଯେ ସେମାନେ କଲମା ପଢିପାରିବେ କି? ଯେତେବେଳେ ସୁରକ୍ଷାକର୍ମୀମାନେ କହିଲେ ଯେ ସେମାନେ କରିପାରିବେ ନାହିଁ, ସେତେବେଳେ ପାଖରେ ଥିବା ଏକ ଛୁରୀ ବାହାର କରି ସେମାନଙ୍କ ଉପରେ ଆକ୍ରମଣ କରିଥିଲା।
ସେମାନଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା। ଆକ୍ରମଣ ପରେ ସେମାନେ ଏକ ସୁରକ୍ଷା କ୍ୟାବିନ ଭିତରେ ଲୁଚି ଯାଇଥିଲେ। ଅନସାରୀ ମଧ୍ୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଭୟ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ୱାକହାର୍ଡ ହସ୍ପିଟାଲକୁ ପଠାଇଥିଲା। ପୋଲିସ କହିଛି ଯେ ଗାର୍ଡଙ୍କ ଅବସ୍ଥା ସ୍ଥିର ଅଛି ଏବଂ ସେମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି।
ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ଦ୍ୱାରା ଅନସାରୀଙ୍କୁ ଚିହ୍ନଟ କରିଥିଲେ ପୋଲିସ ଏବଂ ତାଙ୍କୁ ମୀରା ରୋଡ୍ର ନୟା ନଗର ଅଞ୍ଚଳରେ ଥିବା ତାଙ୍କ ଭଡା ଘରୁ ଗିରଫ କରିଥିଲା।
ତଦନ୍ତ ସମୟରେ, ପୋଲିସ ଜାଣିବାକୁ ପାଇଛି ଯେ ଅନସାରୀ ଅନଲାଇନରେ ISIS ସମ୍ବନ୍ଧୀୟ ପ୍ରଚାର ଭିଡିଓ ବାରମ୍ବାର ଦେଖୁଥିଲା। ଅନସାରୀ ୨୦୧୯ ପର୍ଯ୍ୟନ୍ତ ଆମେରିକାରେ ପାଠପଢ଼ିଥିଲା। ପରେ ଭାରତ ଫେରି ଆସି ମୀରା ରୋଡରେ ଭଡ଼ାରେ ଏକା ରହୁଥିଲା। କିନ୍ତୁ ଘରମାଲିକ ତାକୁ ୫ ମେ’ ସୁଦ୍ଧା ଭଡ଼ା ଫ୍ଲାଟ ଖାଲି କରିବାକୁ କହିଥିଲେ। ତିନିରୁ ଚାରି ମାସ ପୂର୍ବେ ସେ ଏକ କୋଚିଂ ସେଣ୍ଟରରେ ରସାୟନ ବିଜ୍ଞାନ ଓ ଗଣିତ ପଢ଼ାଉଥିଲା। ପୋଲିସ ଏହି ମାମଲାକୁ ଏଟିଏସକୁ ହସ୍ତାନ୍ତର କରିଛି।