ରାଜ୍ୟସଭା ନିର୍ବାଚନରେ ଦୁଇ ବିଜେପି ବିଧାୟକଙ୍କୁ ଦ୍ୱିତୀୟ ବାଲଟ ପେପର ଜାରି ଘଟଣା
ବିଜେଡିର ଅଭିଯୋଗ ଉପରେ ଶୀଘ୍ର ଶୁଣାଣି ପାଇଁ ଇସିଆଇର ନିର୍ଦ୍ଦେଶ
ଭୁବନେଶ୍ୱର, ୨୯/୦୪: ରାଜ୍ୟସଭା ନିର୍ବାଚନରେ ଦୁଇ ବିଜେପି ବିଧାୟକଙ୍କୁ ଦ୍ୱିତୀୟ ବାଲଟ ପେପର ଜାରି ଘଟଣାରେ ବିଜେଡିର ଅଭିଯୋଗ ଉପରେ ଶୀଘ୍ର ଶୁଣାଣି ପାଇଁ ଇସିଆଇ ନିଦେ୍ର୍ଦଶ ଦେଇଛନ୍ତି ।
ଭାରତର ନିର୍ବାଚନ ଆୟୋଗ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଔପଚାରିକ ଭାବେ ଜଣାଇଛନ୍ତି ଯେ, ବିଜେଡି ପ୍ରତିନିଧିମଣ୍ଡଳୀଙ୍କୁ ଶୀଘ୍ର ସମୟ ଦିଆଯିବ । ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ଦେଇଥିବା ଏକ ସ୍ମାରକପତ୍ର ପ୍ରସଙ୍ଗରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ତାଙ୍କ ସ୍ମାରକପତ୍ରରେ ଡ. ପାତ୍ର, ବିଧାୟିକା ଉପାସନା ମହାପାତ୍ର ଓ ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଦ୍ୱିତୀୟ ବାଲଟ ପେପର ଜାରି ହୋଇଥିବା ବିଷୟରେ ଉଲ୍ଲେଖ କରିଥିଲେ । ଏହି ଘଟଣା ନିର୍ବାଚନୀ ପ୍ରକ୍ରିୟା ଓ ମତଦାନର ପବିତ୍ରତା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛି ।
ଇସିଆଇ ପକ୍ଷରୁ ଜାରି ହୋଇଥିବା ଏହି ଯୋଗାଯୋଗ, ଯାହା ଅଣ୍ଡର ସେକ୍ରେଟାରୀ ରାଜେଶ କୁମାର ସିଂହଙ୍କ ଦ୍ୱାରା ସ୍ୱାକ୍ଷରିତ, ସେଥିରେ ବିଜେଡି ପ୍ରତିନିଧିମଣ୍ଡଳୀଙ୍କ ଅଭିଯୋଗକୁ ପ୍ରାଥମିକତାର ସହିତ ଶୁଣିବାକୁ ଉଲ୍ଲେଖ ରହିଛି । ଏହି ଦ୍ରୁତ ଓ ଦାୟିତ୍ୱଶୀଳ ପଦକ୍ଷେପ ପାଇଁ ବିଜେଡି ଆୟୋଗଙ୍କୁ କୃତଜ୍ଞତା ଜଣାଇଛି, ଯାହା ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକ ପ୍ରତି ଆସ୍ଥାକୁ ଶକ୍ତିଶାଳୀ କରେ ।
ଦଳ ପୁନରୁକ୍ତି କରିଛି ଯେ ନିର୍ବାଚନୀ ପ୍ରକ୍ରିୟାରେ ପାରଦର୍ଶିତା, ନ୍ୟାୟସଙ୍ଗତତା ଓ ଦାୟିତ୍ୱବୋଧ ନିଶ୍ଚିତ କରିବା ପାଇଁ ସେମାନେ ପ୍ରତିବଦ୍ଧ । ବିଜେଡି ପ୍ରତିନିଧିମଣ୍ଡଳୀ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମୁଖରେ ସମସ୍ତ ସମ୍ୱନ୍ଧିତ ତଥ୍ୟ ଓ ଚିନ୍ତାବିଷୟ ପ୍ରସ୍ତୁତ କରିବେ ଓ ଏହି ବିଷୟରେ ଯଥୋଚିତ ସ୍ପଷ୍ଟୀକରଣ ଓ କାର୍ଯ୍ୟାନୁଷ୍ଠାନ ଦାବି କରିବେ ।
ବିଜୁ ଜନତା ଦଳ ଦ୍ୱିତୀୟ ବାଲଟ ପେପର ଜାରି ସମ୍ପର୍କିତ ସମ୍ପ୍ରତି ନିର୍ବାଚନୀ ବିଷୟରେ ଦଳ ଉଠାଇଥିବା ଚିନ୍ତାକୁ ଗୁରୁତ୍ୱ ଦେଇଥିବା ପାଇଁ ଭାରତର ନିର୍ବାଚନ ଆୟୋଗଙ୍କ ତତ୍ପର ପ୍ରତିକ୍ରିୟାକୁ ସ୍ୱାଗତ କରୁଛି ।
ଓଡ଼ିଶାରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ଓ ନିର୍ବାଚନର ସଂପୂର୍ଣ୍ଣତାକୁ ଅବିକୃତ ରଖିବା ପାଇଁ ବିଜୁ ଜନତା ଦଳ ସଦା ସଚେତନ ଓ ପ୍ରତିବଦ୍ଧ ରହିଛି ।