ଖଣିକ ଅଭିନନ୍ଦନ ଦିବସ ୨୦୨୬ ଅବସରରେ କର୍ମଚାରୀଙ୍କୁ ଉତ୍କୃଷ୍ଟ କାର୍ଯ୍ଯ ପାଇଁ ସମ୍ବର୍ଦ୍ଧିତ କଲା ଏମସିଏଲ୍

ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଇବ୍ ଭ୍ୟାଲି ଏରିଆକୁ ସମ୍ମାନଜନକ ‘ମାଲପୁରୀ ଟ୍ରଫି’ ପ୍ରଦାନ

ସମ୍ବଲପୁର, ୦୨/୦୫:ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ୍) ପକ୍ଷରୁ ଖଣିକ ଅଭିନନ୍ଦନ ଦିବସ ସମାରୋହ ପାଳିତ ହୋଇଯାଇଛି। ଦେଶର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଏମସିଏଲ୍ କୋଇଲା ଖଣି ଶ୍ରମିକମାନଙ୍କ ଉତ୍କୃଷ୍ଟ କାର୍ଯ୍ଯକୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ଜଗନ୍ନାଥ ଅଞ୍ଚଳ, ଏମ୍.ସି.ଏଲର ତତ୍ତ୍ୱାବଧାନରେ ଗତ ଶୁକ୍ରବାର ସନ୍ଧ୍ୟାରେ କମ୍ପାନୀର ମୁଖ୍ୟାଳୟଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶୀର୍ଷ ନେତୃତ୍ୱ, କର୍ମଚାରୀ ଏବଂ ହିତାଧିକାରୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀ କେଶବ ରାଓ, ନିର୍ଦ୍ଦେଶକ (ଅର୍ଥ) ଶ୍ରୀ ଏ.କେ. ବେହୁରା ଏବଂ ନିର୍ଦ୍ଦେଶକ (ବୈଷୟିକ/ପରିଚାଳନା) ଶ୍ରୀ ଏସ୍.କେ. ଝା’ଙ୍କ ସମେତ ବିଭିନ୍ନ ବିଭାଗର ମହାପ୍ରବନ୍ଧକ, ବରିଷ୍ଠ ଅଧିକାରୀ ଏବଂ ଯୁଗ୍ମ ପରାମର୍ଶଦାତା କମିଟି (ଆପେକ୍ସ) ର ସଦସ୍ୟମାନେ ବହୁସଂଖ୍ୟାରେ ଉପସ୍ଥିତ ଥିଲେ। ଦେଶର ‘ଶକ୍ତି ଯୋଦ୍ଧା’ମାନଙ୍କ ସାହସ ଏବଂ ପ୍ରତିବଦ୍ଧତାକୁ ସଲାମ କରି ଅତିଥିମାନେ କୋଇଲା ଖଣି ଶ୍ରମିକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ନିଜର ଉଦବୋଧନରେ ଶ୍ରୀ ରାଓ କୋଇଲା ଉତ୍ପାଦନରେ କ୍ରମାଗତ ଭାବେ ୨୦୦ ମିଲିୟନ୍ ଟନ୍ ର ଲକ୍ଷ୍ୟ ହାସଲ କରି ‘ହ୍ୟାଟ୍ରିକ୍’ ଅର୍ଜନ କରିଥିବାରୁ ଟିମ୍ ଏମସିଏଲକୁ ଅଭିନନ୍ଦନ ଜଣାଇଥିଲେ ଏବଂ କର୍ମଚାରୀଙ୍କ ସାମୂହିକ ନିଷ୍ଠା ଓ ନିରନ୍ତର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ଏହା ସହିତ କର୍ମଚାରୀଙ୍କ କଲ୍ୟାଣ ଏବଂ କର୍ମକ୍ଷେତ୍ରରେ ସୁବିଧାସୁଯୋଗର ଉନ୍ନତିକରଣ ଉପରେ ଏମସିଏଲର ନିରନ୍ତର ଧ୍ୟାନ ରଖିଥିବା ବିଷୟରେ ସେ ଆଲୋକପାତ କରିଥିଲେ। ଓଡ଼ିଶାରେ ସିଏସଆର କ୍ଷେତ୍ରରେ ସର୍ବବୃହତ ଯୋଗଦାନ ଦିଗରେ ଏମସିଏଲର ପ୍ରମୁଖ ଭୂମିକା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ରାଓ, ସାମାଜିକ ଭିତ୍ତିଭୂମି ନିର୍ମାଣ ତଥା ସ୍ଥାନୀୟ ସମ୍ପ୍ରଦାୟର ଉନ୍ନତି ପାଇଁ କମ୍ପାନୀର ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଇଥିଲେ। ସେହିପରି ଶ୍ରୀ ଝା ଏବଂ ଶ୍ରୀ ବେହୁରା ଗତ ଆର୍ଥିକ ବର୍ଷରେ ଏମ୍.ସି.ଏଲର ଉନ୍ନତ କୋଇଲା ପ୍ରେରଣରେ ଶ୍ରେଷ୍ଠ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ। ଏମସିଏଲର ସାମୂହିକ ପ୍ରୟାସ ଏବଂ ପରିଚାଳନାଗତ ଉତ୍କର୍ଷତା ଆଗାମୀ ବର୍ଷଗୁଡ଼ିକରେ ଆହୁରି ବଡ଼ ସଫଳତା ଆଣିଦେବ ବୋଲି ସେମାନେ ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ ଅତିଥିମାନେ କମ୍ପାନୀର ଶ୍ରେଷ୍ଠ ପ୍ରଦର୍ଶନକାରୀ ଏରିଆ ଏବଂ ପ୍ରକଳ୍ପ ଗୁଡ଼ିକୁ ସମ୍ବର୍ଦ୍ଧିତ କରିଥିଲେ। ୨୦୨୫-୨୬ ଆର୍ଥିକ ବର୍ଷରେ ଉତ୍କର୍ଷତା ପ୍ରଦର୍ଶନ ପାଇଁ କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କର୍ମଚାରୀ ଏବଂ ଠିକା ଶ୍ରମିକମାନଙ୍କୁ ବ୍ୟକ୍ତିଗତ ତଥା ଆନୁଷ୍ଠାନିକ ବର୍ଗରେ ସମୁଦାୟ ୭୬ଟି ପୁରସ୍କାର ପ୍ରଦାନ କରାଯାଇଥିଲା। ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଇବ୍ ଭ୍ୟାଲି ଏରିଆକୁ ସମ୍ମାନଜନକ ‘ମାଲପୁରୀ ଟ୍ରଫି’ ପ୍ରଦାନ କରାଯାଇଥିଲା। ସେହିପରି ଇବ୍ ଭ୍ୟାଲି ଏରିଆର ସମଲେଶ୍ୱରୀ ଓପନକାଷ୍ଟ ଖଣିକୁ ‘ଶ୍ରେଷ୍ଠ ଓପନକାଷ୍ଟ ଖଣି’ ଭାବେ ସମ୍ମାନିତ କରାଯାଇଥିବା ବେଳେ, ଓରିଏଣ୍ଟ୍ ଏରିଆର ହୀରାକୁଦ-ବୁନ୍ଦିଆ ଅଣ୍ଡରଗ୍ରାଉଣ୍ଡ୍ ଖଣିକୁ ‘ଶ୍ରେଷ୍ଠ ଅଣ୍ଡରଗ୍ରାଉଣ୍ଡ୍ ଖଣି’ ପୁରସ୍କାର ପ୍ରଦାନ କରାଯାଇଥିଲା।