ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା
ପୂର୍ବ ନିର୍ଦ୍ଧାରିତ ଯୋଜନା ଭାବେ ହତ୍ୟା କରାଯାଇଛି: ଶୁଭେନ୍ଦୁ
କୋଲକାତା, ୦୭/୦୫: ପଶ୍ଚିମବଙ୍ଗରେ ବିଜେପିର ଐତିହାସିକ ବିଜୟ ପରେ ଆରମ୍ଭରୁ ଅଶାନ୍ତ ହୋଇପଡିଛି ରାଜ୍ୟ। ନବ ନିର୍ବାଚିତ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ(ପିଏ) ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଉତ୍ତର ୨୪ ପ୍ରଗଣା ମଧ୍ୟଗ୍ରାମରେ କାରରେ ଯାଉଥିବା ବେଳେ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ, ଚନ୍ଦ୍ରନାଥ ଏକ କାରରେ ଯାଉଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ପିଛା କରିଥିଲେ। ମଧ୍ୟଗ୍ରାମ ନିକଟରେ ହିଁ ଅତର୍କିତ ଭାବେ ଗୁଳିଚାଳନା କରିଥିଲେ ଦୁର୍ବୃତ୍ତ।
ଚନ୍ଦ୍ରନାଥଙ୍କ ଶରୀରରେ ୩ଟି ଗୁଳି ବାଜିଥିବା ବେଳେ ଗାଡ଼ି ଡ୍ରାଇଭର ବୁଦ୍ଧଦେବଙ୍କ ଶରୀରରେ ମଧ୍ୟ ଗୁଳି ବାଜି ଆହତ ହୋଇଛନ୍ତି। ଗୁଳିମାଡ଼ରେ କାରଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ଚନ୍ଦ୍ରନାଥ ଦୀର୍ଘ ବର୍ଷ ଧରି ଶୁଭେନ୍ଦୁଙ୍କ ରାଜନୈତିକ ସହଯୋଗୀ ଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ଶୁଭେନ୍ଦୁ ଅଧିକାରୀ ତୁରନ୍ତ ହସ୍ପିଟାଲରେ ପହଞ୍ଚିଥିଲେ। ଅନ୍ୟପଟେ ଗୁଳିକାଣ୍ଡ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅପରାଧରେ ବ୍ୟବହୃତ ଗାଡିକୁ ଜବତ କରାଯାଇଛି।
ଶୁଭେନ୍ଦୁ କହିଛନ୍ତି, ପୂର୍ବ ନିର୍ଦ୍ଧାରିତ ଯୋଜନା ଭାବେ ହତ୍ୟା କରାଯାଇଛି। ୨/୩ ଦିନ ରେକି କରିଥିଲେ, ସୁଯୋଗ ଦେଖି ହତ୍ୟା କରିଛନ୍ତି। ୧୫ ବର୍ଷର ମହାଜଙ୍ଗଲ ରାଜ୍ର ଏହା ଫଳ, ଗୁଣ୍ଡାମାନଙ୍କୁ ସଫା କରିବ ବିଜେପି।
ସେହିପରି ଟିଏମସି କର୍ମୀ ଗୁଳି କରିଥିବା ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ। ମଧ୍ୟଗ୍ରାମରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।