‘ଅପରେସନ ସିନ୍ଦୂର’କୁ ପୂରିଲା ବର୍ଷେ

ଆତଙ୍କବାଦୀ ଇକୋସିଷ୍ଟମକୁ ହରାଇବୁ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୦୭/୦୫: ଆଜିଠୁ ଠିକ ଗୋଟିଏ ବର୍ଷ ପୂର୍ବେ, ୭ ମେ’ ୨୦୨୫ ରାତିରେ ଭାରତୀୟ ସଶସ୍ତ୍ର ବାହିନୀ ଇତିହାସର ଏକ ନୂତନ ଅଧ୍ୟାୟ ଲେଖିଥିଲେ। ପାହଲଗାମ୍‌ରେ ହୋଇଥିବା ଘୃଣ୍ୟ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଚଳାଯାଇଥିଲା ଅପରେସନ ସିନ୍ଦୂର।୨୨ ଏପ୍ରିଲ ୨୦୨୫ରେ କାଶ୍ମୀରର ପହଲଗାମ୍‌ରେ ପାକିସ୍ତାନ-ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ‘ଦ ରେଜିଷ୍ଟାନ୍ସ ଫ୍ରଣ୍ଟ’ ଆକ୍ରମଣ କରିଥିଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଏହି ଘଟଣା ଦେଶବାସୀଙ୍କ ମନରେ କ୍ରୋଧ ଏବଂ ବେଦନା ସୃଷ୍ଟି କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଶୂନ୍ୟ-ସହନଶୀଳତା ନୀତିର ପ୍ରତିଫଳନ ସ୍ୱରୂପ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲେ।

୭ ମେ’ ରାତିରେ ଭାରତୀୟ ସେନା, ବାୟୁସେନା ଏବଂ ନୌସେନାଙ୍କ ସମନ୍ୱିତ ଅଭିଯାନରେ ପାକିସ୍ତାନ ଏବଂ ପାକିସ୍ତାନ-ଅଧୀନ କାଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ଜୈଶ-ଏ-ମହମ୍ମଦ୍ ଏବଂ ଲଶ୍କର-ଏ-ତୈବାକୁ ଟାର୍ଗେଟ କରି ବାହାୱଲପୁର, ମୁରିଡକେ, ମୁଜଫ୍ଫରାବାଦ୍ ଏବଂ ଅନ୍ୟାନ୍ୟ ସ୍ଥାନରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଭାରତୀୟ ସେନା ଅନୁଯାୟୀ ଏହି ଆକ୍ରମଣ ଅତ୍ୟନ୍ତ ନିର୍ଭୁଲ ଏବଂ ଲକ୍ଷ୍ୟଭେଦୀ ଥିଲା। କୌଣସି ପାକିସ୍ତାନୀ ସୈନ୍ୟ କିମ୍ବା ନାଗରିକ ଅବସ୍ଥାନକୁ ଲକ୍ଷ୍ୟ କରାଯାଇ ନଥିଲା। ଅପରେସନ ପରେ ଆତଙ୍କବାଦୀ ଅବସ୍ଥାନଗୁଡ଼ିକ ଧ୍ୱଂସ ହୋଇଥିବା ସ୍ୟାଟେଲାଇଟ୍ ଇମେଜ୍ ଏବଂ ଭିଡିଓ ପ୍ରକାଶ ପାଇଥିଲା।

‘ଅପରେସନ ସିନ୍ଦୂର’କୁ ବର୍ଷେ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍‌ କରି ସଶସ୍ତ୍ର ବାହିନୀକୁ ପ୍ରଶଂସା ସହ ପହଲଗାମ ଆକ୍ରମଣର ଉଚିତ୍ ଜବାବ ଥିଲା ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆମ ସଶସ୍ତ୍ର ବାହିନୀ ଅପରେସନ୍ ସିନ୍ଦୂରରେ ଅତୁଳନୀୟ ସାହସ ପ୍ରଦର୍ଶନ କରିଥିଲେ। ପହଲଗାମରେ ନିରୀହ ଭାରତୀୟଙ୍କୁ ଆକ୍ରମଣର ଉପଯୁକ୍ତ ଜବାବ ଦେଇଥିଲେ। ସମଗ୍ର ଦେଶ ଆମର ସେନାଙ୍କୁ ସେମାନଙ୍କର ବୀରତ୍ୱ ପାଇଁ ସଲାମ କରୁଛି। ଏହା ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ପ୍ରତିକ୍ରିୟାକୁ ପ୍ରଦର୍ଶିତ କରିଥିଲା। ସେନାର ବୃତ୍ତିଗତତା, ପ୍ରସ୍ତୁତି ଓ ସମନ୍ୱିତ ଶକ୍ତିକୁ ମଧ୍ୟ ଆଲୋକିତ କରିଥିଲା। ବର୍ଷେ ପରେ ଆତଙ୍କବାଦ ଓ ଏହାର ଇକୋସିଷ୍ଟମକୁ ନଷ୍ଟ କରିବା ପାଇଁ ସଂକଳ୍ପବଦ୍ଧ।

ସେହିପରି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଅପରେସନ୍ ସିନ୍ଦୂରର ବାର୍ଷିକୀରେ, ଆମେ ଆମର ସଶସ୍ତ୍ର ବାହିନୀର ସାହସ ଏବଂ ବଳିଦାନକୁ ସାଲ୍ୟୁଟ୍ କରୁଛୁ, ଯେଉଁ ମାନଙ୍କ ସାହସ ଏବଂ ସମର୍ପଣ ଦେଶକୁ ସୁରକ୍ଷା ଦେଇ ଚାଲିଛି। ଅପରେସନ୍ ସିନ୍ଦୂର ଜାତୀୟ ସଂକଳ୍ପ ଏବଂ ପ୍ରସ୍ତୁତିର ଏକ ଶକ୍ତିଶାଳୀ ପ୍ରତୀକ ଭାବରେ ଠିଆ ହୋଇଛି, ଯାହା ଦର୍ଶାଉଛି ଯେ ଆମର ସଶସ୍ତ୍ର ବାହିନୀ ସର୍ବଦା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟରେ ନିର୍ଣ୍ଣାୟକ ଭାବରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ। ଏହା ଆତ୍ମନିର୍ଭରତା ହାସଲ କରିବା ଦିଗରେ ଭାରତର ସ୍ଥିର ଅଗ୍ରଗତି, ସ୍ଥିରତାକୁ ମଜବୁତ କରିବା ସହିତ କ୍ଷମତା ବୃଦ୍ଧି କରିବାର ପ୍ରମାଣ ମଧ୍ୟ ବୋଲି ରାଜନାଥ କହିଛନ୍ତି।