ବିଶିଷ୍ଟ ସମାଜସେବୀ ନରସିଂହ ପାତ୍ରଙ୍କ ପରଲୋକ

ବିଭିନ୍ନ ମହଲରେ ଶୋକ ପ୍ରକାଶ

ଭୁବନେଶ୍ୱର, ୦୭/୦୫: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସୁନିନ୍ଦା ଗ୍ରାମର ନରସିଂହ ପାତ୍ରଙ୍କର ଆଜି ମଧ୍ୟାହ୍ନରେ ୭୯ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ନରସିଂହ ପାତ୍ର ଠାକୁରମୁଣ୍ଡା ବ୍ଲକ ଓ ମୟୂରଭଞ୍ଜ ଜିଲ୍ଲାର ଜଣେ ପରିଚିତ ଚେହେରା ଥିଲେ। ବିଭିନ୍ନ ସାମାଜିକ ସଂଗଠନ ଓ ଆଧ୍ୟାତ୍ମିକ ଅନୁଷ୍ଠାନ ଗୁଡ଼ିକ ସହିତ ତାଙ୍କର ଦୀର୍ଘ ବର୍ଷର କୃତି ରହିଥିଲା। ସ୍ଥାନୀୟ ଅଞ୍ଚଳର ବିଭିନ୍ନ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପନ୍ନ କରିବା ସମୟରେ ପାତ୍ରଙ୍କର ପରାମର୍ଶ ଲୋଡ଼ା ଯାଇଥାଏ। ସେହିପରି ଦୀର୍ଘ ଦଶନ୍ଧି ଧରି ସେ ଠାକୁରମୁଣ୍ଡା ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ଗତିଶୀଳ କରିବା ସହ ବିଭିନ୍ନ ଜନ ସମସ୍ୟାକୁ ସଠିକ୍ ସ୍ତରରେ ପହଞ୍ଚାଇ ଏହାର ସମାଧାନ ପାଇଁ ମଧ୍ୟ ଅଣ୍ଟା ଭିଡୁଥିଲେ। ସ୍ୱର୍ଗତ ନରସିଂହ ପାତ୍ରଙ୍କ ପ୍ରଚେଷ୍ଟାରେ ଠାକୁରମୁଣ୍ଡା ଅଞ୍ଚଳରେ ଅନେକ ବିକାଶମୂଳକ କାର୍ଯ୍ୟ ଆଖିଦୃଶିଆ ହୋଇପାରିଛି ବୋଲି ଅନେକ ମତ ଦିଅନ୍ତି। ଅନ୍ୟପଟେ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିକିତ୍ସିତ ହେଉଥିଲେ। ତାଙ୍କ ପୁତ୍ର ତଥା ବିଜେବି କଲେଜର ବରିଷ୍ଠ ଅଧ୍ୟାପକ ଜଗବନ୍ଧୁ ପାତ୍ରଙ୍କ ୟୁନିଟ୍ ୨ ସ୍ଥିତ ସରକାରୀ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କଲେ। ଶ୍ରୀଯୁକ୍ତ ପାତ୍ରଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ବିଜେବି କଲେଜର ଅଧ୍ୟାପକ ବୃନ୍ଦ, ବିଭିନ୍ନ ଶିକ୍ଷାବିତ୍ ଅଭିରାମ ସରସ୍ୱତୀ ଓ ସାଂସଦ ସୁଜିତ କୁମାରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ନରସିଂହ ପାତ୍ରଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ଆଜି ସନ୍ଧ୍ୟାରେ ଶ୍ରୀଯୁକ୍ତ ପାତ୍ରଙ୍କ ପୈତୃକ ଗ୍ରାମ ସୁନିନ୍ଦାରେ ଶେଷ କୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି।