ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ ପାଇଁ କୁଡ଼ିଆବାସୀଙ୍କୁ କ୍ଷତିପୂରଣ ପ୍ରଦାନ ଆରମ୍ଭ

କୁଡ଼ିଆ ବାସିନ୍ଦାଙ୍କୁ ଚେକ୍ ହସ୍ତାନ୍ତର, ସହିତ ୬୫୦ ବର୍ଗଫୁଟ ପ୍ଲଟ୍ ଓ ଚାକିରିର ପ୍ରତିଶ୍ରୁତି

ରାଉରକେଲା, ୦୯/୦୫: ପ୍ରତିଶ୍ରୁତି ଅନୁଯାୟୀ, ରାଉରକେଲା ଇସ୍ପାତ କାରଖାନା, ତାର ଗ୍ରୀନଫିଲ୍ଡ ସମ୍ପ୍ରସାରଣ କାର୍ଯ୍ୟକୁ ଆଗେଇ ନେବା ପାଇଁ ଆରଏସପି ଅଞ୍ଚଳରୁ ସ୍ଥାନାନ୍ତରିତ ହେବାକୁ ଥିବା କୁଡ଼ିଆବାସୀଙ୍କୁ ଆର୍ଥିକ ସହାୟତା ବାବଦରେ ଚେକ୍ ହସ୍ତାନ୍ତର କରିବା ଆରମ୍ଭ କରିଛି । ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ଚାଲିଥିବା ଥଇଥାନ ଏବଂ କ୍ଷତିପୂରଣ ପ୍ରକ୍ରିୟାର ଅଂଶସ୍ୱରୂପ, ୨୦୨୬ ମେ ୯ ତାରିଖ ଦିନ କାଟେ ବସ୍ତିର ହିତାଧିକାରୀମାନଙ୍କୁ ୬ଟି ଚେକ୍ ପ୍ରଦାନ କରାଯାଇଛି। ଆରଏସପି ଅଧିକାରୀ, ରାଜସ୍ୱ ବିଭାଗ, ପୋଲିସ ପ୍ରଶାସନ ଏବଂ ହିତାଧିକାରୀଙ୍କ ଉପସ୍ଥିତିରେ ଏହି ଚେକ୍ ବଣ୍ଟନ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଏହି ପଦକ୍ଷେପ ପ୍ରକଳ୍ପ ଅଞ୍ଚଳର ପ୍ରଭାବିତ ପରିବାରମାନଙ୍କୁ ଉପଯୁକ୍ତ ଥଇଥାନ ସହାୟତା ଏବଂ ଆର୍ଥିକ ସହାୟତା ପ୍ରଦାନ କରିବା ଦିଗରେ ଆରଏସପିର ନିଷ୍ଠାକୁ ପ୍ରତିଫଳିତ କରୁଛି।

ଅନୁମୋଦିତ କ୍ଷତିପୂରଣ ଢାଞ୍ଚା ଅନୁଯାୟୀ, ପ୍ରତ୍ୟେକ ଯୋଗ୍ୟ ପରିବାର ୫,୧୬,୬୨୦ ଟଙ୍କାର ଆର୍ଥିକ ସହାୟତା ପାଇବେ । ଗୋଟିଏ କୁଡ଼ିଆରେ ରହୁଥିବା ପରିବାର ସଂଖ୍ୟା ନିର୍ଦ୍ଧାରିତ ସରକାରୀ ନିୟମ ଏବଂ ଯାଞ୍ଚ ପ୍ରକ୍ରିୟା ଅନୁଯାୟୀ ସ୍ଥିର କରାଯାଏ। ସେହି ଅନୁସାରେ, ଯେଉଁ କ୍ଷେତ୍ରରେ ଗୋଟିଏ କୁଡ଼ିଆ ଘରେ ତିନୋଟି ପରିବାର ବାସ କରୁଛନ୍ତି, ସେଠାରେ ସମୁଦାୟ କ୍ଷତିପୂରଣ ପରିମାଣ ୧୫,୪୯,୮୬୦ ଟଙ୍କା ପ୍ରଦାନ କରାଯିବ ।

ପ୍ରତ୍ୟେକ କୁଡ଼ିଆ ବଦଳରେ ୬୫୦ ବର୍ଗଫୁଟର ଏକ ବିକଶିତ ଓ ପ୍ଲଟ୍ କରାଯାଇଥିବା ଜମି ପ୍ରଦାନ କରାଯିବ। ପ୍ଲଟ୍ କରାଯାଇଥିବା ଜମିରେ ସମସ୍ତ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ।

ଏହା ବ୍ୟତୀତ, ପ୍ରତ୍ୟେକ ପ୍ରଭାବିତ କୁଡ଼ିଆରୁ ଜଣେ ସଦସ୍ୟଙ୍କୁ ସ୍ଥାପନ ପର୍ଯ୍ୟାୟ ଏବଂ ପରବର୍ତ୍ତୀ କାର୍ଯ୍ୟ ସମୟରେ ନୂତନ ପ୍ଲାଣ୍ଟରେ ଆଉଟସୋର୍ସିଂ କାର୍ଯ୍ୟରେ ସ୍ୱତନ୍ତ୍ର ନିୟୋଜିତ ପାଇଁ ବିବେଚନା କରାଯିବ । ଆର ଏସ ପି ଏପରି ବ୍ୟକ୍ତିମାନଙ୍କର ନିରନ୍ତର ନିୟୋଜନ ନିଶ୍ଚିତ କରିବ। ପ୍ରତ୍ୟେକ ଶ୍ରମିକଙ୍କୁ ସମୟ ସମୟରେ ସଂଶୋଧନ ସହିତ ସର୍ବନିମ୍ନ ମାସିକ ୨୦,୬୫୭/- ଟଙ୍କା ମଜୁରୀ (ବୋନସ୍ ଏବଂ ଛୁଟି ଦରମା ସମେତ) ମିଳିବ। ନିର୍ଭରଶୀଳ ପରିବାର ସଦସ୍ୟମାନଙ୍କୁ ଇ ଏସ ଆଇ ଚିକିତ୍ସା ସୁବିଧା ଅଧୀନରେ ଅନ୍ତର୍ଭୁକ୍ତ କରାଯିବ।

ଅଧିକନ୍ତୁ, ପ୍ରଭାବିତ ପରିବାରଗୁଡ଼ିକୁ ସେକ୍ଟର-୨୨ ସ୍ଥିତ ଆରଏସପି କ୍ୱାର୍ଟର୍ସରେ ସର୍ବାଧିକ ୬ ମାସ ପାଇଁ କିଛି ନିୟମ ଓ ସର୍ତ୍ତ ସହିତ ଅସ୍ଥାୟୀ ପରିବହନ ଆଶ୍ରୟ ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇ ସାରିଛି , ଯାହାଫଳରେ ସେମାନେ ସେମାନଙ୍କର ବର୍ତ୍ତମାନର କୁଡ଼ିଆରୁ ସ୍ଥାନାନ୍ତରିତ ହେବା ପରେ ତୁରନ୍ତ ସେଠାରେ ରହିପାରିବେ।