ଚଣ୍ଡିଗଡ଼, ୦୯/୦୫: ମନି ଲଣ୍ଡରିଂ ମାମଲାରେ ପଞ୍ଜାବର ଶିଳ୍ପ ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ଇଡି ଗିରଫ କରିଛି। ଶନିବାର ସକାଳେ ଚଣ୍ଡିଗଡ଼ର ତାଙ୍କ ସରକାରୀ ବାସଭବନରେ ଇଡି ଟିମ୍ ଚଢ଼ାଉ କରିବା ପରେ ତାଙ୍କୁ ଗିରଫ କରାଯାଇଛି। ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନକଲି GST ବିଲ୍ ଏବଂ ଦୁବାଇ ମାଧ୍ୟମରେ ଟଙ୍କା ରାଉଣ୍ଡ-ଟ୍ରିପ୍ (ଅବୈଧ ପାଣ୍ଠି ଲୁଚାଇବା) ଭଳି ଅଭିଯୋଗ ଆସିଛି। ଏହା ପୂର୍ବରୁ ଇଡି ଆରୋରାଙ୍କ ୧୫୭ କୋଟି ଟଙ୍କାର ସମ୍ପତ୍ତି ଜବତ୍ କରିଥିଲା।
ଆପ୍ ନେତା ଅରବିନ୍ଦ କେଜରିୱାଲ ଏହାକୁ ରାଜନୈତିକ ଷଡ଼ଯନ୍ତ୍ର ବୋଲି ଆକ୍ରମଣ କରିଛନ୍ତି। ସେ କହିଛନ୍ତି, “ଯାହାକୁ ଗିରଫ କରୁଛନ୍ତି ସେ ୪ ଦିନରେ ବାହାରି ଆସିବେ, କିନ୍ତୁ ବିଜେପି ପଞ୍ଜାବରେ ୨୦ ବର୍ଷ ପାଇଁ ପ୍ରବେଶ କରିପାରିବ ନାହିଁ।”
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ବିଜେପି ଏବଂ ଇଡିକୁ ଆକ୍ରମଣ କରି କହିଛନ୍ତି ଯେ କେନ୍ଦ୍ର ସରକାର ବିରୋଧୀ ଦଳଗୁଡ଼ିକୁ ଦବାଇବା ପାଇଁ ଇଡି-ସିବିଆଇକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି।
ଆଜି ସକାଳ ୭ଟାରେ ଇଡି ଟିମ୍ ଆରୋରାଙ୍କ ବାସଭବନରେ ପହଞ୍ଚି ତଲାସୀ ଆରମ୍ଭ କରିଥିଲା। ଦିଲ୍ଲୀ ଏବଂ ଗୁରୁଗ୍ରାମରେ ମଧ୍ୟ ଏକାସାଙ୍ଗରେ ଚଢ଼ାଉ କରାଯାଇଥିଲା। ସଞ୍ଜୀବ ଆରୋରା ଲୁଧିଆନା ପଶ୍ଚିମ ଆପ୍ ବିଧାୟକ ଅଟନ୍ତି।
ଏହି ଘଟଣା ପରେ ପଞ୍ଜାବରେ ଆପ୍ ଏବଂ ବିଜେପି ମଧ୍ୟରେ ରାଜନୈତିକ ଉତ୍ତେଜନା ବଢ଼ାଇଛି। ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଇଡିର କାର୍ଯ୍ୟାନୁଷ୍ଠାନ ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି।