ଦାୟିତ୍ୱ ଗ୍ରହଣ କରିବା ପରେ ବଡ଼ ଘୋଷଣା କଲେ ବିଜୟ

ଶିକ୍ଷା, ସ୍ୱାସ୍ଥ୍ୟ ଓ ମହିଳା ସୁରକ୍ଷାକୁ ପ୍ରାଥମିକତା

ଚେନ୍ନାଇ, ୧୦/୦୫: ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶପଥ ମଞ୍ଚରୁ ହିଁ ଆକ୍ସନ ମୋଡ଼ରେ ଆସିଛନ୍ତି ସି ଜୋସେଫ ବିଜୟ। ଶପଥ ମଞ୍ଚରେ ତିନି ବଡ଼ ନିଷ୍ପତ୍ତି ନେଇଛନ୍ତି ଓ‌ କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲରେ ସ୍ୱାକ୍ଷର କରିଛନ୍ତି।

୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଣ, ଡ୍ରଗ୍ସ ନିୟନ୍ତ୍ରଣ ପାଇଁ ବିଶେଷ ଟାସ୍କ ଫୋର୍ସ ଗଠନ କରାଯିବ ବୋଲି ଘୋଷଣା କରିଛନ୍ତି ବିଜୟ। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ନିଶା ନିବାରଣ ୟୁନିଟ୍ ଖୋଲାଯିବ ବୋଲି ଘୋଷଣା କରିଛନ୍ତି। ଏଥିସହ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବିଶେଷ ଟାସ୍କ ଫୋର୍ସ ଗଠନ କରାଯିବ।

ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ଯୋଗାଣ ଓ ମହିଳା ସୁରକ୍ଷା ତାଙ୍କ ସରକାରର ପ୍ରମୁଖ ଧ୍ୟାନ କ୍ଷେତ୍ର ରହିବ ବୋଲି ବିଜୟ ସମ୍ବୋଧିତ କରି କହିଛନ୍ତି। ବିରୋଧୀ ଦଳକୁ ସାଙ୍ଗରେ ନେଇ ରାଜ୍ୟର ଉନ୍ନତି କାର୍ଯ୍ୟ କରିବେ ବୋଲି କହିଛନ୍ତି।

ବିଜୟ କହିଛନ୍ତି ଯେ ତାଙ୍କ ସରକାର ଏକ ସ୍ୱଚ୍ଛ ପ୍ରଶାସନର ପ୍ରତିଶ୍ରୁତି ଦେବା ସହିତ ତାମିଲନାଡୁର ପୂର୍ବ ଦ୍ରାବିଡ଼ ମୁନେତ୍ର କାଝଗମ ସରକାରଙ୍କ ଆର୍ଥିକ ଅବସ୍ଥା ଉପରେ ଏକ “ଶ୍ୱେତପତ୍ର” ପ୍ରକାଶ କରିବ।