ଭୁବନେଶ୍ୱର, ୧୧/୦୫: ଆସନ୍ତାକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ବାକି ୨୦ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା, ପବନ ସହ ଘଡ଼ଘଡ଼ି ଓ ବିଜୁଳି ମାରିବା ସମ୍ଭାବନା ରହିଛି।
ମୟୂରଭଞ୍ଜରେ ୫୦-୬୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହା ବ୍ୟତୀତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ଅନଗୁଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, କନ୍ଧମାଳ, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବିଜୁଳି ସହିତ ଝଡ଼ବର୍ଷା ଏବଂ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ବିଶେଷ କରି ଅପରାହ୍ନ ଓ ସନ୍ଧ୍ୟା ସମୟ ପାଇଁ ଆଲର୍ଟ ଜାରି କରାଯାଇଛି। ମେ ୧୩ରେ ମଧ୍ୟ ଏହି ଜିଲ୍ଲା ଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି।
୧୪ ମଇରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅପରାହ୍ନ/ସନ୍ଧ୍ୟା ସମୟରେ ବିଜୁଳି ଏବଂ ପ୍ରବଳ ପବନ (୪୦-୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବା) ସହିତ ଘଡ଼ଘଡ଼ି ସହ ଝଡ଼ ହେବାର ସମ୍ଭାବନା ଅଧିକ। ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
୧୫ ମଇରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଞ୍ଜାମ, ଗଜପତି, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅପରାହ୍ନ/ସନ୍ଧ୍ୟା ସମୟରେ ଘଡ଼ଘଡ଼ି ସହିତ ବିଜୁଳି ଏବଂ ପବନର ବେଗ ୪୦-୫୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପୂର୍ବାନୁମାନ କରିଛି। ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।
ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଞ୍ଜାମ, ଗଜପତି, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅପରାହ୍ନ/ସନ୍ଧ୍ୟା ସମୟରେ ଘଡ଼ଘଡ଼ି ସହିତ ବିଜୁଳି ଏବଂ ପବନର ବେଗ ୪୦-୫୦ କିଲୋମିଟର ପ୍ରତି ଘଣ୍ଟା) ହେବାର ସମ୍ଭାବନା ଅଧିକ”, ୧୬ ମଇ ପାଇଁ ଆଇଏମଡି ପୂର୍ବାନୁମାନ କରିଛି।