କୋଲକାତା, ୧୧/୦୫: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ହେବା ପରେ ଆଜି ପ୍ରଥମ କ୍ୟାବିନେଟ୍ ବୈଠକ କରିଛନ୍ତି ଶୁଭେନ୍ଦୁ ଅଧିକାରୀ। ଏହି ବୈଠକରେ ଶୁଭେନ୍ଦୁ ୬ଟି ବଡ଼ ନିଷ୍ପତ୍ତି ନେଇଛନ୍ତି।
ପ୍ରଥମ ଘୋଷଣା:-
ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ୪୫ ଦିନ ଭିତରେ ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ୪୫ ଦିନ ଭିତରେ ସମଗ୍ର ଅଞ୍ଚଳ BSF ଅଧୀନରେ ରହିବ। ୮୬୪ କିମି ଦୀର୍ଘ ସୀମାନ୍ତ ଏଯାବତ ତାରବାଡ଼ ହୋଇ ପାରି ନଥିଲା। ବିଦାୟୀ ମୁଖ୍ୟମନ୍ତ୍ରୀ ମମତା ଜମି ଦେଉ ନ ଥିବାରୁ ତାରବାଡ଼ ହୋଇପାରୁ ନଥିଲା। ଫଳରେ ବାଂଲାଦେଶ ପଟୁ ଦେଶକୁ ଅନୁପ୍ରବେଶ ମାତ୍ରା ଅଧିକ ହେଉଥିଲା।
ଦ୍ୱିତୀୟ ଘୋଷଣା:-
ବେଙ୍ଗଲରେ କେନ୍ଦ୍ରୀୟ ଯୋଜନା ଲାଗୁ ହେବ। ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଲାଗୁ ନେଇ ଘୋଷଣା କରାଯାଇଛି। ଆଜିଠୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଶୁଭେନ୍ଦୁ। ସେହିପରି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ କୃଷକ ବୀମା ଯୋଜନା, ବିଶ୍ୱକର୍ମା ଯୋଜନା, ବେଟି ବଚାଓ ବେଟି ପଢ଼ାଓ ଏବଂ ଉଜ୍ଜ୍ୱଳା ଯୋଜନା ଲାଗୁ କରାଯିବ।
ତୃତୀୟ ଘୋଷଣା:-
ପଶ୍ଚିମବଙ୍ଗର ସରକାରୀ ଅଧିକାରୀ ଯେପରିକି ଆଇଏଏସ ଓ ଆଇପିଏସ୍ ଅଫିସର ମାନେ କେନ୍ଦ୍ର ସରକାରଙ୍କ ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ। ପଶ୍ଚିମବଙ୍ଗରେ BNS ଲାଗୁ ନେଇ ପ୍ରଥମ କ୍ୟାବିନେଟ୍ରେ ମଞ୍ଜୁରୀ କରାଯାଇଛି। ପୂର୍ବ ସରକାର ଲାଗୁ ନ କରି ସାମ୍ବିଧାନିକ ବ୍ୟବସ୍ଥା ଉଲ୍ଲଙ୍ଘନ କରିଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଚତୁର୍ଥ ଘୋଷଣା:-
ବେଙ୍ଗଲରେ ଶିକ୍ଷକତା ପାଇଁ ଆବେଦନ ବୟସ ସୀମା ୫ ବର୍ଷ ବୃଦ୍ଧି କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ନିର୍ବାଚନ ପ୍ରତିଶ୍ରୁତି ଅନୁସାରେ ପୂରଣ ହେବ।
ପଞ୍ଚମ ଘୋଷଣା:-
ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆଜିଠୁ ପଶ୍ଚିମବଙ୍ଗରେ ଜନଗଣନା ଆରମ୍ଭ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଷଷ୍ଠ ଘୋଷଣା:-
ନିର୍ବାଚନ ହିଂସାକାଣ୍ଡ ଯୋଗୁଁ ଘଟିଥିବା ମୃତ୍ୟୁର ତଦନ୍ତ କରିବାକୁ କହିଛନ୍ତି ଶୁଭେନ୍ଦୁ। ମୃତକଙ୍କ ପରିବାର ଯଦି ଚାହିଁବେ, ତାହାଲେ ତଦନ୍ତ ଆରମ୍ଭ କରାଯିବ ବୋଲି କହିଛନ୍ତି। ଦୋଷୀଙ୍କ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।