ଟ୍ରମ୍ପଙ୍କ ଝିଅଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଥିଲା ଆତଙ୍କୀ ଦାଉଦ ଅଲ୍-ସାଦି

କସିମ ସୋଲେମାନି ହତ୍ୟାର ପ୍ରତିଶୋଧ ନେବାକୁ ଚାହୁଁଥିଲା!

ୱାଶିଂଟନ ଡିସି, ୨୩/୦୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଛି। ଇରାନ୍‌ର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ସହ ଜଡ଼ିତ ଆତଙ୍କବାଦୀ ଏଥିରେ ସମ୍ପୃକ୍ତ ବୋଲି ସୂଚନା ମିଳିଛି।

ଅଭିଯୁକ୍ତ ହେଉଛି ମହମ୍ମଦ ବାକର ସାଦ ଦାଉଦ ଅଲ୍-ସାଦି (୩୨) ଇରାକୀ ନାଗରିକ। IRGC ଏବଂ ଇରାନ୍-ସମର୍ଥିତ ଆତଙ୍କବାଦୀ ସଂଗଠନ କତୈବ ହିଜବୁଲ୍ଲା ସହ ସେ ଜଡ଼ିତ। ସେ ଏହି ସଂଗଠନର ଜଣେ ଉଚ୍ଚପଦସ୍ଥ ନେତା ବୋଲି କୁହାଯାଉଛି।

ଅଲ୍-ସାଦି ଇଭାଙ୍କା ଟ୍ରମ୍ପଙ୍କ ଫ୍ଲୋରିଡ଼ାର ଘରର ବ୍ଲୁପ୍ରିଣ୍ଟ ରଖିଥିଲା। ସେ ଅନଲାଇନ୍‌ରେ (X ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ) ଧମକ ଦେଇଥିଲା ଯେ, “ତୁମର ପ୍ରାସାଦ କିମ୍ବା ସିକ୍ରେଟ୍ ସର୍ଭିସ୍ ତୁମକୁ ରକ୍ଷା କରିପାରିବ ନାହିଁ।”

କସିମ ସୋଲେମାନିଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଏହି ଷଡ଼ଯନ୍ତ୍ର କରିଥିଲା ସେଞ। ୨୦୨୦ ମସିହାରେ ଡୋନାଲ୍ଡ ଟ୍ରମ୍ପଙ୍କ ଆଦେଶରେ ଇରାନୀ ଜେନେରାଲ୍ ସୋଲେମାନିଙ୍କୁ ହତ୍ୟା କରାଯାଇଥିଲା। ଅଲ୍-ସାଦି ସୋଲେମାନିଙ୍କୁ ନିଜର ମେଣ୍ଟର ବୋଲି ମାନୁଥିଲା।

ତେବେ ଏହି ଘଟଣା ବାବଦରେ ଟ୍ରମ୍ପଙ୍କ ପକ୍ଷରୁ କିଛି ସୂଚନା ମିଳିନାହିଁ।