ସୁଧିର ହତ୍ୟା: ୨ ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟର

ପୋଲିସ ଗୋଡ଼ାଇବା ବେଳେ ବୋମାମାଡ଼ କରିଥିଲେ

ବ୍ରହ୍ମପୁର, ୨୬/୦୫: ବ୍ରହ୍ମପୁର ଉପକଣ୍ଠ ରତ୍ନପୁରରେ ପୋଲିସର ଏନ୍‌କାଉଣ୍ଟର। ବଡ଼ଗଡ଼ ନୂଆଗାଁର ରଞ୍ଜନ ମଲ୍ଲିକ ଓ ହିଞ୍ଜିଳିକାଟୁର ସରୋଜ ପଣ୍ଡାଙ୍କୁ ଗୁଳି କରିଛି ପୋଲିସ।

ବ୍ରହ୍ମପୁରର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ପୋଲିସ। ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଗୁଳି ମାରିଥିଲା।

ଦୁଇ ଅଭିଯୁକ୍ତ ହତ୍ୟାକାଣ୍ଡ ପରଠାରୁ ଫେରାର ଥିଲେ। କିନ୍ତୁ ରାଜସ୍ଥାନରୁ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସେମାନଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣୁଥିଲା ପୋଲିସ। କିନ୍ତୁ ରତ୍ନପୁରରେ ୨ ଅଭିଯୁକ୍ତ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ପୋଲିସ ଗୋଡ଼ାଇବା ବେଳେ ସେମାନେ ପୋଲିସ ଉପରକୁ ବୋମାମାଡ଼ ସହ ଆକ୍ରମଣ କରିଥିଲେ। ଯାହାର ଜବାବରେ ପୋଲିସ ପାଲଟା ଗୁଳିଚାଳନା କରିଥିଲା। ଏଥିରେ ୨ ଜଣ ଆହତ ହୋଇ ଏମ୍‌କେସିଜିରେ ଭର୍ତ୍ତି ହୋଇଛନ୍ତି। ରଞ୍ଜନର ଡାହାଣ ଓ ସରୋଜର ବାମ ଗୋଡ଼ରେ ବାଜିଛି ଗୁଳି।

ସୂଚନା ଅନୁଯାୟୀ, ସରୋଜ ସୁଧୀରଙ୍କ ମୁଣ୍ଡରେ ବନ୍ଧୁକ ରଖି ତାଙ୍କୁ ଧମକ ଦେଇଥିଲା। ରଞ୍ଜନ ସୁଧୀରଙ୍କ ପରିବାରକୁ ଫୋନ କରି ଧମକ ଦେଉଥିଲା। ରଞ୍ଜନର ଘର ବଡଗଡ଼ ଥାନା ନୂଆଗାଁରେ ହୋଇଥିବା ବେଳେ ସରୋଜର ଘର ହିଞ୍ଜିଳି ଥାନା ସିକିରି ପାଢ଼ି ସାହିରେ।