ନୂଆଦିଲ୍ଲୀ, ୦୩/୦୬: ଦିଲ୍ଲୀରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମାଲଭିୟ ନଗରରେ ଥିବା ଲେମନ ଗ୍ରୀନ୍ ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଭୟଙ୍କର ଅଗ୍ନିକାଣ୍ଡରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି। ଅଗ୍ନିକାଣ୍ଡ ପରେ ରେଷ୍ଟୁରାଣ୍ଟର ବେସମେଣ୍ଟରେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନେକ ଲୋକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୧୦ଟି ଅଗ୍ନିଶମ ବାହିନୀ ଗାଡ଼ି ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି।
ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ନେହେରୁ ପ୍ଲେସ୍ (NRN) ଅଗ୍ନିଶମ କେନ୍ଦ୍ରର ବିଭାଗୀୟ ଅଧିକାରୀ (DO) ରବିନ୍ଦର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପ୍ରାଥମିକ ଦୃଷ୍ଟିରୁ, ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
ଦିଲ୍ଲୀ ଅଗ୍ନିଶମ ସେବା କହିଛି ଯେ DFS କର୍ମଚାରୀମାନେ ରେଷ୍ଟୁରାଣ୍ଟର ବେସମେଣ୍ଟରୁ ୩୭ ଜଣଙ୍କୁ ଉଦ୍ଧାର କରିଥିଲେ। ସକାଳ ପ୍ରାୟ ୮ଟା ୫୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା।