୨୧ ଜଣଙ୍କୁ ଗିଳିଦେଲା ନିଆଁ, ମୃତକଙ୍କ ମଧ୍ୟରେ ଅନେକ ବିଦେଶୀ

କ୍ଷତିପୂରଣ ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୦୩/୦୬: ଦିଲ୍ଲୀ ମାଲଭିୟା ନଗରର ଏକ ରେଷ୍ଟୁରାଣ୍ଟରେ ନିଆଁ ଲାଗି ୨୧ ଜଣଙ୍କର ମୃତ୍ୟୁ ହୋଇଛି। ମାଲଭିୟ ନଗରର ୫ ମହଲା ବିଶିଷ୍ଟ ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ପରେ କିଛି ଲୋକ ତଳକୁ ଡେଇଁ ପଡ଼ି ଆହତ ହୋଇଛନ୍ତି।

ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ। ଏହି ରେଷ୍ଟୁରାଣ୍ଟରେ ଲଜ ବ୍ୟବସ୍ଥା ଥିବାରୁ ଘଟଣା ସମୟରେ ୫୦ରୁ ଅଧିକ ଲୋକ ଥିଲେ‌। ପ୍ରାୟ ୩୭ ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ବିଦେଶୀ ନାଗରିକ ରହିଛନ୍ତି। କିଛି ରୋଗୀଙ୍କ ସମ୍ପର୍କୀୟ ମଧ୍ୟ ରହିଛନ୍ତି। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ଏହି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ସମ୍ପର୍କୀୟଙ୍କୁ PMNRFରୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ଘୋଷଣା କରିବା ସହ ଆହତଙ୍କ ପାଇଁ ୫୦ ହଜାର ଲେଖାଏଁ ସହାୟତା ଘୋଷଣା କରାଯାଇଛି।