ଚେନ୍ନାଇ, ୦୫/୦୬: ତାମିଲନାଡ଼ୁ ରାଜନୀତିରେ ବଡ଼ ମୋଡ଼। ପୂର୍ବତନ ତାମିଲନାଡ଼ୁ ବିଜେପି ସଭାପତି କେ. ଆନ୍ନାମଲାଇ ବିଜେପିରୁ ଇସ୍ତଫା ଦେଇଛନ୍ତି ଏବଂ ନୂଆ ରାଜନୈତିକ ଦଳ ଗଠନ କରିବେ ବୋଲି ଘୋଷଣା କରିଛନ୍ତି।
ଆନ୍ନାମଲାଇ ଜୁନ୍ ୨ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ୍ ନବୀନଙ୍କୁ ଇସ୍ତଫା ପତ୍ର ପଠାଇଥିଲେ। ଜୁନ୍ ୫ ତାରିଖରେ ନିତିନ ନବୀନ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଗତ କିଛି ମାସ ଧରି ଦଳ ପ୍ରତି ଅସନ୍ତୋଷ ଥିବା ବେଳେ ଏଭଳି ନିଷ୍ପତ୍ତି ନେଇଛନ୍ତି ଆନ୍ନାମଲାଇ।
ସୂତ୍ର ଅନୁଯାୟୀ, ଗତ ୧୮ ମାସ ହେବ ଆନ୍ନାମଲାଇ ଦଳର କେତେକ ନୀତି ଏବଂ ତାମିଲନାଡ଼ୁର ରାଜନୈତିକ ରଣନୀତି ନେଇ ଅସନ୍ତୁଷ୍ଟ ଥିଲେ। ବିଶେଷ କରି ଏଆଇଏଡିଏମ୍କେ (AIADMK) ସହ ମେଣ୍ଟକୁ ନେଇ ଅସନ୍ତୁଷ୍ଟ ଥିଲା।
ଇସ୍ତଫା ପରେ ଆନ୍ନାମଲାଇ କହିଛନ୍ତି ଯେ ତାମିଲନାଡ଼ୁରେ ଏକ ନୂଆ ରାଜନୈତିକ ଦଳ ସୃଷ୍ଟି ହେବ। ଏହି ଦଳରେ ବଂଶବାଦର କୌଣସି ସ୍ଥାନ ନଥିବ। ଆସନ୍ତା ବିଧାନସଭା ନିର୍ବାଚନରେ ତାଙ୍କ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି। ଆନ୍ନାମଲାଇଙ୍କ ଏହି ପଦକ୍ଷେପକୁ ତାମିଲନାଡ଼ୁ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଭାବେ ଦେଖାଯାଉଛି।
ଆନ୍ନାମଲାଇ ପୂର୍ବରୁ କର୍ଣ୍ଣାଟକ ପୁଲିସ୍ ସେବାରେ (IPS) ନିୟୋଜିତ ଥିଲେ ଏବଂ ୨୦୨୧ରେ ବିଜେପିରେ ଯୋଗ ଦେଇ ରାଜ୍ୟ ସଭାପତି ହୋଇଥିଲେ। ତାଙ୍କ ନେତୃତ୍ୱରେ ବିଜେପି ରାଜ୍ୟରେ କିଛି ପ୍ରଗତି କରିଥିଲେ ମଧ୍ୟ ନିର୍ବାଚନରେ ପ୍ରତ୍ୟାଶିତ ଫଳ ପାଇ ନଥିଲା।