ୟୁକ୍ରେନ ଛାଡିଥିବା ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଋଷିଆର ଅଫର

ଚେନ୍ନାଇ ୧୧।୧୧: ଋଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ଯୋଗୁ ଭାରତୀୟ ଡାକ୍ତରୀ ଛାତ୍ର ଗୁରୁତର ପ୍ରଭାବିତ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ପଢାରେ କ୍ଷତି ସହିବାକୁ ପଡିଛି। ଫେବୃଆରୀ ୨୦୨୨ରେ ଋଷିଆର ଆକ୍ରମଣ ପରେ ଭାରତୀୟ ଛାତ୍ରୀଛାତ୍ରୀଙ୍କୁ ୟୁକ୍ରେନରୁ ବାହାର କରି ଅଣାଯାଇଥିଲା। ଫଳରେ ହଜାର ହଜାର ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତାରେ। ତେବେ ଏପରି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପାଠପଢାଶେଷ କରିବା ପାଇଁ ଋଷିଆ ନିଜ ଦେଶକୁ ଆମନ୍ତ୍ରଣ କରିଛି।

ଚେନ୍ନାଇରେ ପହଞ୍ଚିଥିବା ଋଷିଆ ମହାବାଣିଜ୍ୟ ଦୂତ ଓଲେଗ୍ ଅଭଦିଭ କହିଛନ୍ତି ଯେ ୟୁକ୍ରେନ ଛାଡିଥିବା ଭାରତୀୟ ଡାକ୍ତରୀ ଛାତ୍ର ଛାତ୍ରୀ ଋଷିଆରେ ସେମାନଙ୍କ ପଢା ଜାରି ରଖି ପାରିବେ । କାରଣ ୟୁକ୍ରେନ ଓ ଋଷିଆର ଡାକ୍ତରୀ ପାଠ୍ୟକ୍ରମ ଏକାଭଳି। ଯେହେତୁ ୟୁକ୍ରେନରେ ଅଧିକାଂଶ ଲୋକେ ଋଷୀୟ କହିଥାନ୍ତି ଏଣୁ  ଭାରତୀୟ ଛାତ୍ରଛାତ୍ରୀଙ୍କୁ ଋଷିଆ ଭାଷା ବୁଝିବାରେ ବିଶେଷ ଅସୁବିଧା ହେବନି। ଓଲେଗ କହିଛନ୍ତି ଯେ ଅନେକ ଲୋକେ ପାଠ ପଢିବାକୁ ଋଷିଆ ଯାଇଥାନ୍ତି। ଋଷିଆରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ସ୍କୋଲାରସିପ୍ ଲାଗି ଆବେଦନ କରୁଛନ୍ତି।