ଶକ୍ତିଶାଳୀ ଭୂକମ୍ପ: ୧୫ ମୃତ, ୧୨୯ ଆହତ

୫ ଦେଶକୁ ସୁନାମୀ ଆଲର୍ଟ

ଫିଲିପାଇନ୍ସ, ୦୮/୦୬: ସୋମବାର ସକାଳେ ଦକ୍ଷିଣ ଫିଲିପାଇନ୍ସରେ ଏକ ଶକ୍ତିଶାଳୀ ୭.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି‌। ଏହା ପରେ କିଛି ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମି ସତର୍କତା ଜାରି କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ମିଣ୍ଡାନାଓରେ ଥିଲା। ଭୂମିକମ୍ପ ଯୋଗୁଁ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଯାଇଛି ଏବଂ ଉପକୂଳବର୍ତ୍ତୀ ସ୍ଥାନ ଛାଡ଼ି ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ ହେବାକୁ ଅନୁରୋଧ କରାଯାଇଛି। ଏହି ଭୂମିକମ୍ପରେ‌ ଏଯାଏଁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ୧୨୯ ଜଣ ଆହତ ହୋଇଛନ୍ତି।

ଫିଲିପାଇନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଭୋଲକାନୋଲୋଜି ଆଣ୍ଡ୍ ସିସମୋଲୋଜି ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ମିଣ୍ଡାନାଓ ଦ୍ୱୀପର ଜେନେରାଲ ସାଣ୍ଟୋସ୍ ସିଟିରୁ ୧୩ କିଲୋମିଟର ଦକ୍ଷିଣ-ପଶ୍ଚିମରେ ୧୦ କିଲୋମିଟର ଗଭୀରରେ ଥିଲା। ସ୍ଥାନୀୟ ସମୟ ସକାଳ ୭:୩୭ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।

ପ୍ରଶାନ୍ତ ମହାସାଗର ସୁନାମି ସତର୍କତା କେନ୍ଦ୍ର କହିଛି ଯେ ଫିଲିପାଇନ୍ସର କିଛି ଉପକୂଳରେ ୩ ମିଟର ଉଚ୍ଚତା ପର୍ଯ୍ୟନ୍ତ ସୁନାମି ଲହରୀ ଆସିପାରେ। ୧ ମିଟର ଉଚ୍ଚତା ପର୍ଯ୍ୟନ୍ତ ଇଣ୍ଡୋନେସିଆ ଏବଂ ମାଲେସିଆର କିଛି ଉପକୂଳରେ ସୁନାମୀ ଲହରୀ ଆସିପାରେ। ଏପରିକି ତାଇୱାନ, ଜାପାନ, ଗୁଆମ, ପାପୁଆ ନ୍ୟୁ ଗିନି ଏବଂ ପଶ୍ଚିମ ପ୍ରଶାନ୍ତ ମହାସାଗରର ଅନେକ ଦ୍ୱୀପ ଦେଶ ଏବଂ ଅଞ୍ଚଳକୁ ମଧ୍ୟ ସୁନାମୀ ଆଲର୍ଟ ଜାରି କରାଯାଇଛି।

ଇଣ୍ଡୋନେସିଆର ଉତ୍ତର ସୁଲାୱେସି ଏବଂ ଉତ୍ତର ମାଲୁକୁ ପ୍ରଦେଶରେ ମଧ୍ୟ ଭୂକମ୍ପ ର ଝଟକା ଅନୁଭୂତ ହୋଇଥିଲା।

ତେବେ ଗତ କାଲି ରାତିରେ ଭାରତ ସମେତ ଅନ୍ୟ କିଛି ଦେଶରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଉତ୍ତର ଭାରତ, ଭୁଟାନ, ବାଂଲାଦେଶ, ନେପାଳ ଓ ଚୀନରେ ଭୂମିକମ୍ପ ହୋଇଥିଲା। ଭାରତୀୟ ସମୟ ପ୍ରାୟ ରାତି ୧୧.୦୬ ସମୟରେ ଭୁଟାନର ପୁନାଖା ନିକଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ୫.୬ ଥିବା ବେଳେ ଏହାର କେନ୍ଦ୍ରସ୍ଥଳ ଆସାମର କିଛି ଅଂଶରୁ ପ୍ରାୟ ୨୫୨ କିଲୋମିଟର ଦୂରରେ ଥିଲା। ଆସାମ ଏବଂ ମେଘାଳୟ ସମେତ ଅନେକ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।