ସିଏମଓରୁ ଫାଇଲ ଗାଏବ ଘଟଣା: ଫାଇଲ ଖୋଜିବା ଦାୟିତ୍ୱ ନେଇଥିଲେ ନବୀନଙ୍କ ବ୍ୟକ୍ତିଗତ ସଚିବ: ବିରଞ୍ଚି

ବିଜେଡ଼ି ସରକାରରେ ଫାଇଲ ହଜିନି: ମୁନା

ଭୁବନେଶ୍ୱର, ୧୧/୦୬: CMOରୁ ଫାଇଲ୍‌ ଗାଏବ ନେଇ ବିଜେପିର ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ଉପରେ ପ୍ରବଳ ବର୍ଷିଛନ୍ତି। ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାର ତଦନ୍ତ ରିପୋର୍ଟ ନେଇ ବିଜେଡ଼ିକୁ ଟାର୍ଗେଟ୍ କରିଛନ୍ତି।

ବିରଞ୍ଚି କହିଛନ୍ତି, ୨୦୧୬ ସେପ୍ଟେମ୍ବର ୧୬ ତାରିଖରେ ତଦନ୍ତ କମିଶନ ରିପୋର୍ଟ ଦେଇଥିଲେ। ୨୦୧୬ ସେପ୍ଟେମ୍ବର ୧୯ରେ ମୁଖ୍ୟ ସଚିବ ନବୀନଙ୍କୁ ଦପ୍ତରକୁ ପଠାଇଲେ। ୨୦୨୪ ଜୁନ ୪ ଭୋଟ ଗଣତି ବେଳେ ବିଜେପି ଆଗୁଆ ହେବାରୁ ଫାଇଲ ଗଲା। ସବୁ ଫାଇଲ୍‌ ଗୃହ ବିଭାଗକୁ ଗଲା, ମାତ୍ର ଦୁଇଟି ଫାଇଲ୍‌ ଗଲା ନାହିଁ। ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ତଦନ୍ତ ଓ ସମ ହସ୍ପିଟାଲ ତଦନ୍ତ ରିପୋର୍ଟ ଗଲାନି। ଯୋଜନାବଦ୍ଧ ଭାବେ ଏହାକୁ ଲୁଚାଇ ଦିଆଗଲା। ବିଜେପି ଆସିବା ପରେ ରିପୋର୍ଟକୁ ସାର୍ବଜନୀନ କରିବାକୁ ଚେଷ୍ଟା କରିଛି। ଫାଇଲ ଖୋଜିବା ପରେ ନମିଳିବା ଦୁଃଖ ଓ ପରିତାପର ବିଷୟ।

ଜଷ୍ଟିସ ନାଇଡୁ କହିଛନ୍ତି ଦେଢ଼ ହଜାରରୁ ଦୁଇ ହଜାର ପୃଷ୍ଠାର ରିପୋର୍ଟ। ତେଣୁ ଏହାକୁ କେହି ଲୁଚାଇଛି କିମ୍ବା ଚୋରି କରିଛି କୁହାଯାଇ ପାରିବ। ଫାଇଲ ନ ମିଳିବାରୁ ୨୦୨୫ ଅକ୍ଟୋବର ୨୩ରେ ନବୀନଙ୍କୁ ଚିଠି ହୋଇଥିଲା। ଗୃହ ବିଭାଗ ଚିଠି କରିବା ପରେ ନବୀନ ଏହାର କୌଣସି ଉତ୍ତର ଦେଲେନି। ୨୦୨୫ ନଭେମ୍ବର ୪ରେ ପୁଣି ଥରେ ନବୀନଙ୍କ ରିମାଇଣ୍ଡର ଗଲା। ୨୦୨୫ ନଭେମ୍ବର ୧୫ରେ ନବୀନଙ୍କ ବ୍ୟକ୍ତିଗତ ସଚିବ ସରକାରଙ୍କୁ ଚିଠି ଲେଖିଲେ।

ନବୀନ ବାବୁ ମୋତେ ଫାଇଲ୍‌ ଖୋଜିବାକୁ କହିଥିବା ଚିଠିରେ ଦର୍ଶାଇଥିଲେ ନବୀନଙ୍କ ବ୍ୟକ୍ତିଗତ ସଚିବ। ଏଥିରୁ ଜଣାପଡ଼ୁଛି ଏହା ପଛରେ ଗଭୀର ଷଡ଼ଯନ୍ତ୍ର ରହିଛି। ଏଥିରୁ ନବୀନ ବାବୁଙ୍କ ଅସଲ ଚେହେରା ଓଡ଼ିଶାବାସୀଙ୍କ ସାମ୍ନାକୁ ଆସିଛି। ସରକାରଙ୍କ ଏତଲା ଆଧାରରେ ପୋଲିସ ତଦନ୍ତ କରି ସତ୍ୟ ସାମ୍ନାକୁ ଆଣିବ।

ଅନ୍ୟପଟେ ସିଏମଓରୁ ଫାଇଲ ହଜିବା ଘଟଣାରେ ବିଜେପିକୁ କାଉଣ୍ଟର କରିଛନ୍ତି ବିଜେଡ଼ି ସାଂସଦ ମୁନା ଖାନ୍‌। ମୁନା କହିଛନ୍ତି, ବିଜେଡି ସରକାରରେ ଫାଇଲ ହଜିନି, କେବେ ହଜିଛି କିଏ କହି ପାରିବ। ଯଦି ଫାଇଲ୍‌ ହଜିଛି ଏତେ ଦିନ ଧରି ସରକାର ଜାଣି ପାରିନଥିଲେ କି। ଯଦି ଜାଣିଥିଲେ କାହିଁକି ଚୁପ ବସିଥିଲେ, କିଛି ଷଡ଼ଯନ୍ତ୍ର ଥାଇ ପାରେ। ସରକାର ଅଛନ୍ତି ସେମାନେ ଯାହା ବି କରି ପାରିବେ ବୋଲି କହିଛନ୍ତି ମୁନା।