ପଦ୍ମପୁର, ୧୧/୦୬: କୂଅରୁ ଫେରିଲା ଜୀବନ। ୪ ଦିନ ପରେ କୂଅ ଭିତରୁ ହେଲେ ଉଦ୍ଧାର। ଜୀବନ୍ତ ମଣିଷଙ୍କୁ ଦେଖି ସମସ୍ତେ ତାଜୁବ। ବରଗଡ଼ ଜିଲ୍ଲା ବିଜେପୁର ସମଲାଇପଦର ନର୍ସରୀରେ ଥିବା ନିଛାଟିଆ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲେ ଯୁବକ।
ସୂଚନା ମୁତାବକ, ଗତ ରବିବାର ପୂର୍ବାହ୍ନ ପ୍ରାୟ ୩ଟା ସମୟରେ ୫ ଜଣ ପିଟିପିଟି ମରିଗଲା ଭାବି କୂଅରେ ପକାଇ ଚାଲି ଯାଇଥିଲେ। ହେଲେ, ଯୁବକ ଜଣକ ୪ ଦିନ ଧରି ସେହି କୂଅ ଭିତରେ ଭୋକ ଉପାସରେ ସେମିତି ଜୀବନ ସହ ସଂଘର୍ଷ କରି ବଞ୍ଚି ରହିଥିଲେ।
ଆଜି ସମଲାଇପଦର ଗାଁର ଜଣେ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ଯୁବକଙ୍କ ପାଟି ଶୁଣି କୂଅ ପାଖକୁ ଯାଇ ଦେଖନ୍ତି ତ, ଯୁବକ ଜଣକ କୂଅ ଭିତରେ ପଡ଼ି ରହିଛନ୍ତି। ଏହା ପରେ ସୂଚନା ପାଇ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ ଓ ପୋଲିସ।
ଉଦ୍ଧାର ବ୍ୟକ୍ତି ଜଣକ ହେଉଛନ୍ତି ପଦ୍ମପୁର ଉପଖଣ୍ଡ ପୁରେନା ଗ୍ରାମର ତୁଳସୀ ରାମ ବରିହା। ସେ ନିଖୋଜ ଥିବା ନେଇ ଏତଲା ଥିଲା। ପୋଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।