ନୂଆ ଆଧାର ପଞ୍ଜୀକରଣ ଉପରେ ରୋକ ଲଗାଇଲେ ଆସାମ ସରକାର

୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମିଳିବନି ଆଧାର କାର୍ଡ

ଗୌହାଟୀ, ୧୩/୦୬: ଆସାମରେ ଲାଗୁ ହେବ ନୂଆ ନିୟମ। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆସାମରେ ନୂଆ ଆଧାର କାର୍ଡ ପଞ୍ଜୀକରଣ ଉପରେ ତୁରନ୍ତ ରୋକ୍ ଲଗାଯାଇଛି। ରାଜ୍ୟରେ ଅବୈଧ ପ୍ରବେଶ ନିୟନ୍ତ୍ରଣ ପାଇଁ ଏହି କଠୋର ପଦକ୍ଷେପ ନିଆଯାଇଛି।

ଆସାମ ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ନୂଆ ଆଧାର କାର୍ଡ ପାଇଁ ଆବେଦନ କରିବା ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଯାଇଛି। ଏହା ମୂଳରେ ଅବୈଧ ଭାବେ ରାଜ୍ୟକୁ ପ୍ରବେଶ କରୁଥିବା ଲୋକଙ୍କୁ ଆଧାର କାର୍ଡ ପାଇବାରୁ ରୋକିବା ଲକ୍ଷ୍ୟ ରଖିଛି।

୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଆଧାର କାର୍ଡ ଦିଆଯିବ ନାହିଁ। କେବଳ ସ୍ୱତନ୍ତ୍ର କ୍ଷେତ୍ରରେ ଜିଲ୍ଲା କମିଶନରଙ୍କ ସୁପାରିଶ ଏବଂ ରାଜ୍ୟ ସରକାରଙ୍କ ଯାଞ୍ଚ ପରେ ହିଁ ଏହି କାର୍ଡ ପ୍ରଦାନ ପାଇଁ ଅନୁମତି ମିଳିବ।

ଆଦିବାସୀ ଏବଂ ଚା ବଗିଚାରେ କାମ କରୁଥିବା ଶ୍ରମିକଙ୍କ ପାଇଁ ଆଧାର ପଞ୍ଜୀକରଣ ନିୟମରେ କୋହଳ ଘୋଷଣା କରାଯାଇଛି। ଏହି ବର୍ଗର ଲୋକଙ୍କୁ ଆଧାର କାର୍ଡ ପାଇଁ ସୁବିଧା ପ୍ରଦାନ କରାଯିବ। ସେମାନଙ୍କ ୨୦୨୭ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଆଧାର କାର୍ଡ ପଞ୍ଜୀକରଣ ପାଇଁ ସୁଯୋଗ ଦିଆଯିବ। ଏହି ସମୟ ସୀମା ମଧ୍ୟରେ ସେମାନେ ଆଧାର କାର୍ଡ ପାଇଁ ଆବେଦନ କରିପାରିବେ।