ରେଲୱେ ପରୀକ୍ଷା ଏବେ ସମ୍ପୂର୍ଣ୍ଣ CBT ମୋଡ୍‌ରେ

RRBର ନିଯୁକ୍ତି ପ୍ରକ୍ରିୟା ସମୀକ୍ଷା ପରେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ, ୧୩/୦୬: ରେଲୱେ ନିଯୁକ୍ତି ପ୍ରକ୍ରିୟାକୁ ଆହୁରି ଅଧିକ ସ୍ୱଚ୍ଛ, ସଠିକ୍ ଏବଂ ଶୀଘ୍ର କରିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ବଡ଼ ଘୋଷଣା କରିଛନ୍ତି। ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ (RRB) ର ନିଯୁକ୍ତି ପ୍ରକ୍ରିୟା ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି ଯେ, ରେଲୱେର ସମସ୍ତ ପରୀକ୍ଷା ଏବେ କମ୍ପ୍ୟୁଟର ବେସ୍‌ଡ୍ ଟେଷ୍ଟ (CBT) ମୋଡ୍‌ରେ କରାଯିବ।

ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ‘‘ଅଧିକ ସ୍ୱଚ୍ଛତା, ସଠିକତା ଏବଂ ଶୀଘ୍ର ପରୀକ୍ଷା ପ୍ରକ୍ରିୟା ସମାପ୍ତ କରିବା ଉପରେ ଆମେ ଗୁରୁତ୍ୱ ଦେଉଛୁ। ଏଥିପାଇଁ ରେଲୱେର ସମସ୍ତ ବିଭାଗୀୟ ପରୀକ୍ଷାକୁ କମ୍ପ୍ୟୁଟର-ଆଧାରିତ କରାଯିବ।’’ ଏହା ସହିତ ରେଲୱେ ଟାବଲେଟ୍-ଆଧାରିତ ପରୀକ୍ଷା ପ୍ରଣାଳୀକୁ ଆହୁରି ବିସ୍ତାର କରିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି।

ମନ୍ତ୍ରୀ ବୈଷ୍ଣବ ଏହି ସୁଯୋଗରେ ରେଲୱେ ନିଯୁକ୍ତି କ୍ଷେତ୍ରରେ ହାସଲ କରିଥିବା ସଫଳତା ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ରେ ରେଲୱେ ମନ୍ତ୍ରଣାଳୟ ୪୩,୭୮୧ ଜଣଙ୍କୁ ନିଯୁକ୍ତି ଦେଇଛି। ଏଥି ମଧ୍ୟରୁ ସର୍ବାଧିକ ୧୮,୭୯୯ ଜଣ ସହାୟକ ଲୋକୋ ପାଇଲଟ୍ (Assistant Loco Pilot) ଭାବେ ନିଯୁକ୍ତ ହୋଇଛନ୍ତି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦ ହେଉଛି ଟେକ୍ନିସିଆନ୍, ଯେଉଁଥିରେ ୧୪,୨୯୮ ଜଣଙ୍କୁ ନିଯୁକ୍ତି ମିଳିଛି।

ଏହି ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ସୁଧାର ଆଣିବା ପାଇଁ CBT ମୋଡ୍ ଏବଂ ଟାବଲେଟ୍ ଆଧାରିତ ପରୀକ୍ଷାକୁ ପ୍ରାଧାନ୍ୟ ଦିଆଯିବ। ଏହା ଦ୍ୱାରା ପରୀକ୍ଷାର୍ଥୀମାନଙ୍କୁ ଅଧିକ ସୁବିଧା ହେବ ଏବଂ ପେପର ଲିକ୍, ଅନିୟମିତତା ଏବଂ ବିଳମ୍ବ ଭଳି ସମସ୍ୟାଗୁଡ଼ିକୁ ରୋକି ହେବ ବୋଲି ଆଶା କରାଯାଉଛି।