ରାଷ୍ଟ୍ରସେବାର ମନ୍ତ୍ର ସହ ପତଞ୍ଜଳି ସିଭିଲ ସର୍ଭିସ ଏକାଡେମୀର ଶୁଭାରମ୍ଭ
‘ତ୍ରି-ଶିକ୍ଷା’ ମଡେଲରେ ପ୍ରସ୍ତୁତ ହେବେ ଭବିଷ୍ୟତର ପ୍ରଶାସନିକ ଅଧିକାରୀ
ହରିଦ୍ୱାର, ୧୩/୦୬: ଭାରତୀୟ ସଂସ୍କୃତି, ଆଧୁନିକ ବିଜ୍ଞାନ ଏବଂ ରାଷ୍ଟ୍ରସେବାର ଭାବନାକୁ ଆଧାର କରି ଆଇଏଏସ୍, ଆଇପିଏସ୍ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସେବାର ଅଧିକାରୀ ତିଆରି କରିବା ଉଦ୍ଦେଶ୍ୟରେ ପତଞ୍ଜଳି ପକ୍ଷରୁ ପତଞ୍ଜଳୀ ସିଭିଲ ସର୍ଭିସ ଏକାଡେମୀର ଶୁଭାରମ୍ଭ ଘୋଷଣା କରାଯାଇଛି। ଏହି ନୂତନ ପଦକ୍ଷେପ ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକ ପ୍ରଶାସନିକ ଆବଶ୍ୟକତାର ସମନ୍ୱୟ ମାଧ୍ୟମରେ ଦେଶର ପ୍ରଶାସନିକ ବ୍ୟବସ୍ଥାକୁ ଏକ ନୂଆ ଦିଗ ଦେବ ବୋଲି କୁହାଯାଇଛି।
ଏକାଡେମୀର ଲକ୍ଷ୍ୟ କେବଳ ସଫଳ ପ୍ରଶାସନିକ ଅଧିକାରୀ ଗଢ଼ିବା ନୁହେଁ, ବରଂ ରାଷ୍ଟ୍ରସେବାକୁ ସର୍ବୋଚ୍ଚ କର୍ତ୍ତବ୍ୟ ଭାବେ ଗ୍ରହଣ କରୁଥିବା ଦାୟିତ୍ୱବାନ ନାଗରିକ ସୃଷ୍ଟି କରିବା। ଏହି ଅଭିଯାନ ମାଧ୍ୟମରେ ଏକ କୋଟି ସମର୍ପିତ ନାଗରିକ ତିଆରି କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଯୋଗଗୁରୁ ସ୍ୱାମୀ ରାମଦେବ କହିଛନ୍ତି ଯେ, ଦେଶ ସଂବିଧାନ ଅନୁଯାୟୀ ପରିଚାଳିତ ହେଉଥିବାବେଳେ ଆଇନର ସଫଳ କାର୍ଯ୍ୟକାରିତା ଅଧିକାରୀଙ୍କ ଚରିତ୍ର ଉପରେ ନିର୍ଭର କରେ। ତାଙ୍କ ମତରେ ଶିକ୍ଷା ହେଉଛି ସମାଜ ଗଢ଼ିବାର ସବୁଠୁ ବଡ଼ ସୃଜନଶୀଳ କାର୍ଯ୍ୟ। ଏକାଡେମୀରେ ଆଧ୍ୟାତ୍ମିକ ଜ୍ଞାନ, ପ୍ରଶାସନିକ ଦକ୍ଷତା ଓ ଶିକ୍ଷାଗତ କଠୋରତାକୁ ନେଇ “ତ୍ରି-ଶିକ୍ଷା” ମଡେଲ୍ ଲାଗୁ କରାଯିବ।
ପୂର୍ବତନ ଆଇଏଏସ୍ ଅଧିକାରୀ ଏନ.ପି. ସିଂ କହିଛନ୍ତି ଯେ ବର୍ତ୍ତମାନର ପ୍ରଶାସନିକ ବ୍ୟବସ୍ଥା ଏବେ ବି ଔପନିବେଶିକ ଚିନ୍ତାଧାରାର ପ୍ରଭାବରେ ରହିଛି। ତାଙ୍କ ମତରେ ଅଧିକାରୀମାନେ ଶାସକ ନୁହେଁ, ବରଂ ଜନସେବକ ଭାବେ କାର୍ଯ୍ୟ କରିବା ଉଚିତ୍। ଏକାଡେମୀ ଭାରତୀୟ ସଂବିଧାନର ମୂଳ ଭାବନା ଓ ଭାରତୀୟ ପ୍ରଶାସନିକ ପରମ୍ପରାକୁ ଗୁରୁତ୍ୱ ଦେବ।
ଦେଶର ପ୍ରସିଦ୍ଧ ସିଭିଲ ସର୍ଭିସ ଶିକ୍ଷକ ଅବଧ ଓଝା ଏହି ଏକାଡେମୀର ନେତୃତ୍ୱ ନେବେ। ସେ କହିଛନ୍ତି ଯେ ଏକାଡେମୀର ଉଦ୍ଦେଶ୍ୟ କେବଳ ସୂଚନା ପ୍ରଦାନ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ଚିନ୍ତନଶକ୍ତି, ବ୍ୟବହାରିକ ବୁଦ୍ଧିମତା ଓ ପ୍ରଶାସନିକ ଚ୍ୟାଲେଞ୍ଜ ସମ୍ଭାଳିବାର କ୍ଷମତା ବିକାଶ କରିବା।
ଏକାଡେମୀରେ ସମ୍ପୂର୍ଣ୍ଣ ଆବାସିକ ବ୍ୟବସ୍ଥା ସହିତ ସାତ୍ତ୍ୱିକ ପରିବେଶ ଉପଲବ୍ଧ ହେବ। ଛାତ୍ରଛାତ୍ରୀଙ୍କ ଦୈନିକ କାର୍ଯ୍ୟସୂଚୀ ଯୋଗ ଓ ପ୍ରାର୍ଥନାରୁ ଆରମ୍ଭ ହୋଇ ପ୍ରାର୍ଥନାରେ ଶେଷ ହେବ। ଯୋଗ ଓ ପ୍ରାଣାୟାମ ମାଧ୍ୟମରେ ଆତ୍ମବଳ ଓ ମାନସିକ ଦୃଢ଼ତା ବୃଦ୍ଧି ଉପରେ ମଧ୍ୟ ଜୋର ଦିଆଯିବ।
ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି ଓ ଜାତୀୟ ସ୍ତରର ପରୀକ୍ଷାରେ ଉତ୍କୃଷ୍ଟ ପ୍ରଦର୍ଶନକାରୀଙ୍କ ପାଇଁ ବିଶେଷ ପୁରସ୍କାରର ବ୍ୟବସ୍ଥା ମଧ୍ୟ କରାଯାଇଛି।
ପତଞ୍ଜଳି ବିଶ୍ୱବିଦ୍ୟାଳୟ ପରିସରରେ ସ୍ଥାପିତ ଏହି ଏକାଡେମୀରେ ବିଶ୍ୱସ୍ତରୀୟ ଭିତ୍ତିଭୂମି, ଆଧୁନିକ ଶିକ୍ଷା ସୁବିଧା ଓ ଆନ୍ତର୍ଜାତିକ ମାନର କ୍ରୀଡ଼ା ବ୍ୟବସ୍ଥା ଉପଲବ୍ଧ ରହିବ। ଏହାର ଲକ୍ଷ୍ୟ ଶାରୀରିକ ଭାବେ ସୁଦୃଢ଼, ମାନସିକ ଭାବେ ପ୍ରଖର ଏବଂ ଆଧ୍ୟାତ୍ମିକ ଭାବେ ସନ୍ତୁଳିତ ପ୍ରଶାସନିକ ଅଧିକାରୀ ସୃଷ୍ଟି କରିବା।
ଏହି ଅବସରରେ ସାଧବି ଦେବପ୍ରିୟା, ମୟଙ୍କ ଅଗ୍ରୱାଲ ଓ ସକ୍ସେନା ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।