ନ୍ୟାୟ ଦେବା ବଦଳରେ ଭକ୍ଷକ ସାଜିଲେ ରକ୍ଷକ: ଆଇଆଇସିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ବଦଳି ହେଲେ ଥାନା ଅଧିକାରୀ

ଭୁବନେଶ୍ୱର, ୧୮/୦୬: ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଆଇଆଇସି ସୁଜିତ ଦାସଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ଆଇଆଇସି ମହିଳାଙ୍କୁ ନ୍ୟାୟ ଦେବା ବଦଳରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଶରଣକୁଳ ଥାନା ଅଞ୍ଚଳର ଜଣେ ମହିଳା ଓ ତାଙ୍କ ପରିବାରକୁ ଗାଁ ରୁ ବାସନ୍ଦ କରାଯାଇଛି। ଏପରିକି ତାଙ୍କୁ ଗାଁ ଲୋକମାନେ ବିଭିନ୍ନ ସମୟରେ ହଇରାଣ ହରକତ କରନ୍ତି। ତେଣୁ ନ୍ୟାୟ ପାଇବା ପାଇଁ ଶରଣକୁଳ ଥାନାରେ ଶରଣ ନେଇଥିବା ବେଳେ ଥାନା ଆଇଆଇସି ତାଙ୍କୁ ନ୍ୟାୟ ଦେବା ବଦଳରେ ବାରମ୍ବାର ଫୋନ କରିବା ସହ ଏକ ହୋଟେଲକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ମହିଳାଜଣକ।

ଏହି ଅଭିଯୋଗକୁ ଗୁରୁତର ସହ ନେଇ ମହିଳାଙ୍କ ଅଭିଯୋଗ ଆଧାରରେ ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ ସହ ବଦଳି ହୋଇଛି। ରାଜ୍ୟ ପୋଲିସ୍‌ ମୁଖ୍ୟାଳୟ ତରଫରୁ ବଦଳି ନିର୍ଦ୍ଦେଶ ଜାରି ହୋଇଛି। ଶରଣକୁଳ ଥାନାରୁ ଜିଲ୍ଲା ପୋଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି। ତଦନ୍ତ ପ୍ରକ୍ରିୟାର ସ୍ୱଚ୍ଛତା ଓ ନିରପେକ୍ଷତାକୁ ଦୃଷ୍ଟିରେ ରଖି ବଦଳି ହୋଇଛି।